ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର କୋଭିଡ କେୟାର ସେଣ୍ଟରରେ ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ରୋଗୀମାନେ ଧାରଣାରେ ବସିଛନ୍ତି । ରୋଗୀ ମାନଙ୍କ ଅଭିଯୋଗ ମୁତାବକ, ଏହି ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ଏବଂ ପିଇବା ପାଣିର ସମସ୍ୟା ମଧ୍ୟ ଦେଖା ଦେଇଛି । ଏଥି ସହିତ ପାଇଖାନା ଓ ଗାଧୁଆ ଘର ସଫା କରା ଯାଉ ନଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଗାଧୁଆ ଘର ପାଣି ନିଷ୍କାସନ ହୋଇ ନ ପାରିବାରୁ ଆଣ୍ଠୁଏ ଉପରକୁ ପାଣି ଜମି ରହୁଛି । ଯାହା ଫଳରେ ନିତ୍ୟକର୍ମ କରିବାକୁ ରୋଗୀ ମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଏହି ସବୁ ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ଆଜି ସକାଳୁ ଧାରଣାରେ ବସିଥିଲେ । ପରେ ତାଳଚେର ପୌରପାଳିକା ଅଧିକାରିଣୀ ରଶ୍ମିରେଖା ଅମାନ୍ତ , ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଅଭୟ କୁମାର ଦାସ ପ୍ରମୁଖ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ରୋଗୀମାନେ ସ୍ଥଗିତ କରିଥିଲେ ।