(ଚିତ୍ତରଞ୍ଜନ ସାହୁ) ବରଗଡ: ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ବନ୍ଦ କରିବା ଘଟଣାକୁ ନେଇ ତେଜିଲା ଆନ୍ଦୋଳନ । ଏକାଠି ହେଲେ ୨୮ଟି ଗ୍ରାମର ଶହଶହ ପୁରୁଷ ଓ ମହିଳା । ଏସବିଆଇ ଉଚ୍ଚ କର୍ତ୍ତୃପକ୍ଷ ଆସନ୍ତା ୧୪ ତାରିଖରୁ ବୁଗବୁଗା ଶାଖା କାର୍ଯ୍ୟାଳୟ ବନ୍ଦ କରି ଅତାବିରା ମୁଖ୍ୟ ଏସବିଆଇ ଶାଖା କାର୍ଯ୍ୟାଳୟରେ ଗ୍ରାହକମାନେ ବ୍ୟାଙ୍କ କାରବାର କରିବେ ବୋଲି ନୋଟିସ ଜାରି କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ଏହି ନୋଟିସକୁ ଅଞ୍ଚଳବାସୀ ବିରୋଧ କରି ବୁଗବୁଗା ଏସବିଆଇ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗଣଧାରଣାରେ ବସିଛନ୍ତି । କୌଣସି ପରିସ୍ଥିତିରେ ବୁଗବୁଗା ଏସବିଆଇ ଶାଖାକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତରଣ କରି ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଗତ ୨୦୧୪ ଜାନୁଆରୀ ୨୬ ତାରିଖରେ ଅତାବିରା ବ୍ଲକ ବୁଗବୁଗା, କୁଲୁଣ୍ଡା ଓ ଝିଲିମିଣ୍ଡା ପଞ୍ଚାୟତର ୨୮ଟି ଗ୍ରାମର ଲୋକଙ୍କ ଆର୍ଥିକ କାରବାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସ ଜରିଆରେ ଏସବିଆଇ ଶଖା କାର୍ଯ୍ୟାଳୟ ଶୁଭ ଉଦ୍ଘାଟନ କରିଥିଲେ । ୫ ବର୍ଷ ବିତିଗଲା ପରେ ବୁଗବୁଗା ଶାଖା କାର୍ଯ୍ୟାଳୟରେ ଅର୍ଥିକ ସ୍ଥିତି ମାନ୍ଦା ହୋଇଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଅତାବିରା ଏସବିଆଇ ମୁଖ୍ୟ ଶାଖାରେ ମିଶାଇଦେବାକୁ ସ୍ଥିର କରିଛନ୍ତି । ଯାହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ସେପଟେ ଅତାବିରା ଏସବିଆଇ ମୁଖ୍ୟ ପରିଚାଳକ ଏହି ଘଟଣାକୁ ନେଇ ଗଣମାଧ୍ୟମ ଓ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।