(ଅନୁସ୍ୱୟା)ଭୁବନେଶ୍ୱର: ଯାଜପୁର ଷ୍ଟୁଡ଼େଣ୍ଟ ଆସୋସିଏସନ ପକ୍ଷରୁ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟୁଡେଣ୍ଟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଷ୍ଟୁଡ଼େଣ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କନକ୍ଲେଭରେ ୧୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ସେମାନଙ୍କର କ୍ୟାରିଅର, କ୍ରୀଡା ଭିତ୍ତିଭୂମି, ଭବିଷ୍ୟତ ଯୋଜନା ସଂପର୍କରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଥିଲେ । ଯାଜପୁର ଶିକ୍ଷାକ୍ଷେତ୍ରରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମେତ ବିଭିନ୍ନ ବିଷୟରେ ଛାତ୍ର ଛାତ୍ରୀ ମାନେ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ବିଧାୟକ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଯାଜପୁର କ୍ରୀଡା, ଶିକ୍ଷା, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିକାଶ ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଉଛି ଯାହାର ସୁଫଳ ଆଗାମୀ ଦିନରେ ମିଳିବ । ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯିବ ଏବଂ ଏହାର ନୂତନ କ୍ୟାମ୍ପସ ଓ ସାଇନ୍ସ ପାର୍କ ମାଳଆନନ୍ଦପୁର ଅଞ୍ଚଳରେ କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।