+୩ ନାମଲେଖା ପାଇଁ ଆଜିଠାରୁ ଆବେଦନ କରିବେ ଛାତ୍ରଛାତ୍ରୀ

0

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ସ୍ନାତକ (+୩) ନାମଲେଖା ପାଇଁ  ଆଜିଠାରୁ (ସୋମବାର) ଆବେଦନ ଆରମ୍ଭ । ଯୁକ୍ତ ୩ ମହାବିଦ୍ୟାଳୟ ସମେତ ସେଲ୍ଫ ଫାଇନାନ୍ସିଂ ଓ ସଂସ୍କୃତ କଲେଜର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଅପରାହ୍ଣ ୪ ଟାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସାମ୍‌ସ ୱେବସାଇଟ୍‌ www.samsodisha.gov.in ରେ ଜୁନ୍‌ ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ୧୮ ତାରିଖ ଦିନ ସଂଶୋଧନ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍‌ ୨୫ ତାରିଖରେ ପ୍ରକାଶ ପାଇବା ସହ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୫ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ବୋଲି ଦର୍ଶାଯାଇଛି। ଏହାବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପିପିପି ମୋଡରେ ଥିବା ପାଠ୍ୟକ୍ରମ ଛଡ଼ା ଅନ୍ୟ ସମସ୍ତ ପାଠ୍ୟକ୍ରମ ସାମ୍ସ ପ୍ରକ୍ରିୟା‌ରେ ସାମିଲ କରାଯାଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ବିଏ ଏଲଏଲବି(୫ ବର୍ଷିଆ) ପାଠ୍ୟକ୍ରମ ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।