ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

0

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି | ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନରେ ଆୟୋଜିତ ତଥା ମୟୁରଭଞ୍ଜ ଜିଲ୍ଲପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତଥା ରାଇରଙ୍ଗପୁର ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ହେମନ୍ତ କୁମାର ସିଂ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ ଓ ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ |

ପ୍ରାରମ୍ଭରେ ଜିଲ୍ଲାପାଳ ଜନସାଧାରଣଙ୍କ ଠାରୁ ଆସୁଥିବା ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟାରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ 84 ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ 55 ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ 29ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା | ଗ୍ରହଣ ହୋଇଥିବା ଆପତ୍ତି ଅଭିଯୋଗ ମଧ୍ୟରୁ 5 ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ଏବଂ ସହାୟତା ରାଶି ପ୍ରଦାନ ପାଇଁ ଆସିଥିବା ଗୋଟିଏ ଅଭିଯୋଗର ଗୁରୁତ୍ୱ ଓ ପରିସ୍ଥିତିକୁ ବିଚାର କରି ଆବେଦନକାରି ଜଣକୁ 10 ହଜାର ଟଙ୍କା ଟଙ୍କା ସହାୟତା ରାଶି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଜିଲ୍ଲାପାଳ ମଂଜୁର କରିଛନ୍ତି | ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |

ଅନୁଷ୍ଠିତ ଉକ୍ତ ବୈଠକରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ସମସ୍ତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ୱାରା ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା |