ରାଇରଙ୍ଗପୁର : ପ୍ରତ୍ୟକ ମାସ ଦ୍ଵିତୀୟ ସୋମବାର ଦିନ ଭଳି ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜିର ଜନଶୁଣାଣୀ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦାନଦେଓ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ପୌରାଞ୍ଚଳ ସମେତ ୭ଟି ବ୍ଲକ ତଥା ବିଶୋଇ,ବିଜାତଳା, ରାଇରଙ୍ଗପୁର,କୁସୁମି ,ଜାମଦା,ବହଳଦା ଓ ତିରିଂ ଅଂଚଳରୁ ୬୦ ଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୪୨ ଟି ବ୍ୟକ୍ତିଗତ ଓ ୧୮ ଟି ଗୋଷ୍ଠୀ ଗତ ସମସ୍ୟା ଥିଲା । ତନ୍ମଧ୍ୟରୁ ଜିଲ୍ଲାପାଳ ୩ଟିର ତ୍ୱରିତ ଫଇସଲା କରିଥିଲେ । ଜଣଙ୍କୁ ୧୦,୦୦୦ ଟଙ୍କା ଏବଂ ଅନ୍ୟ ଜଣଙ୍କୁ ୫,୦୦୦ ଟଙ୍କା ରେଡକ୍ରସ ସହାୟତା ରାଶି ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶିବିରକୁ ଆସିଥିବା ଅଭିଯୋଗକାରୀଙ୍କ ସମସ୍ୟା ଗୁଡିକର ତ୍ୱରିତ ସମାଧାନ କଲେ ଲୋକଙ୍କର ଜନଶୁଣାଣୀ ପ୍ରତି ଆସ୍ଥା ରହିବା ବୋଲି ଉପସ୍ଥିତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବାମନଘାଟୀ ଉପଖଣ୍ଡର ସମସ୍ତ ୭ଟି ବ୍ଳକର ବିଡ଼ିଓ, ତହସିଲଦାର, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ତଥା ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ,ଆରଡବ୍ଲ୍ଯଏସଏସ ଅଧିକାରୀ ଇଂ ରତ୍ନାକର ଶିଅଳ ରାଇରଙ୍ଗପୁର ପୌରପାଳିକା କାର୍ଯ୍ଯ ନିର୍ବାହି ଅଧିକାରୀ ଧର୍ମେନ୍ଦ୍ର ଶତପଥି ପ୍ରମୁଖ ଯୋଗଦେଇଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନୁ୍ଙ୍କୁ ସବିଶେଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଗୁଡିକ ପ୍ରାୟତଃ ଜମିଜମା, ଫୌଜଦାରୀ,ଆବାସ ଯୋଜନା, ଭତ୍ତା, ରେଡକ୍ରସ ସହାୟତା, ଚିକିତ୍ସା ସହାୟତା ଇତ୍ୟାଦି । ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ବିଶୋଇରେ ଜିଲ୍କାର ଦିତୀୟ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳମାନଙ୍କ ହସ୍ତକ୍ଷେପ ଲୋଡିଥିଲେ । ସେହିଭଳି ଗଣମାଧ୍ୟମ ପ୍ରତିନିଧି ମାନେ ରାଇରଙ୍ଗପୁର ସହରରେ ଚୋରୀ, ଡକାୟତି ରୋକିବା ନିମନ୍ତେ ଛକ ଛକରେ ଆବଶ୍ୟକତାକୁ ଦେଖି ସି ସି କେମେରା ସ୍ଥାପନ ,ଟ୍ରାଫିକ ବିପର୍ଯ୍ୟସ୍ତ ନେଇ ଟ୍ରାଫିକ ଥାନା ସ୍ଥାପନା, ରାଇରଙ୍ଗପୁର ଇନ୍ଦିରା ପାର୍କ ସମ୍ମୁଖରେ ସାର୍ବଜନୀନ ଶୌଚାଳୟ ସ୍ଥାପନା ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।