ସୁବର୍ଣ୍ଣପୁର:- ସର୍ବ ଭାରତୀୟ କ୍ରୀଡାରେ ଭାଗ ନେବେ ସିରିନ । ୧୮ ବର୍ଷରୁ କମ୍ ପ୍ରଥମ ଅଲ୍ ଇଣ୍ଡିଆ କବାଡ଼ି ପ୍ରତିଯୋଗୀତାକୁ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ସିରୀନ ପାତ୍ର ପ୍ରଥମ ଥର ମନୋନୀତ ହୋଇଛନ୍ତି । ଯେଉଁଥିପାଇଁ ସିରିନଙ୍କ ପାଖକୁ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜି ଗାଁର ପିତା ଇୟାଦ ପାତ୍ର ଓ ମାତା ପଦ୍ମା ପାତ୍ରଙ୍କ ସୁକନ୍ୟା ଅଟନ୍ତି ସିରିନ । ଚଳିତ ମାସ କଟକ ବାରବାଟୀରେ ଅଠର ବର୍ଷ ରୁ କମ୍ ବାଳିକା ସିଲେକ୍ସନ୍ ଟ୍ରାଏଲରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଚାରି ଜଣ ଲେଖାଏଁ ବାଳିକା ଏହି କବାଡ଼ି ପ୍ରତିଯୋଗୀତାରେ ଭାଗ ନେଇ ଥିବା ବେଳେ ଏଥିରୁ ପ୍ରଥମେ ଓଡ଼ିଶାର ୨୪ ଜଣ ମନୋନୀତ ହୋଇଥିଲେ । ଏହି ୨୪ ଜଣରୁ ଅଲ୍ ଇଣ୍ଡିଆ କବାଡି ପାଇଁ ପୁଣି ୧୪ ଜଣ ବାଳିକା ମନୋନୀତ ହୋଇଥିବା ଓ ଓଡ଼ିଶା କବାଡି ବାଳିକା ଟିମ ମ୍ୟାନେଜର ପୂଜା ଲାକ୍ରା ଓ କୋଚ୍ ହରିପ୍ରୀୟା ମହାପାତ୍ରଙ୍କ ନେତୃତ୍ୱରେ ଏହି ୧୪ ଜଣ ବାଳିକା ଉତ୍ତରାଖଣ୍ଡ ହରିଦ୍ଵାର ଅଭିମୁଖେ ଯାତ୍ରା କରିଥିବା ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସୂଚନା ମିଳିଛି ।
ଏହି ୧୪ ଜଣିଆ ସର୍ବ ଭାରତୀୟ କବାଡିରେ ଭାଗ ନେବାକୁ ଓଡ଼ିଶା ଟିମରେ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ସିରିନ ଜିଲ୍ଲା ତଥା ଓଡ଼ିଶାରୁ ପ୍ରତିନିଧ୍ୱ କରିଥିବାରୁ କୃତୀ ଖେଳାଳୀ ସିରିନକୁ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ବିଭାଗ ଓ କ୍ରୀଡ଼ା ସଂଘ ପକ୍ଷରୁ ସଫଳତା କାମନା ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ତେବେ କ୍ରୀଡ଼ା ଇତିହାସରେ ସିରିନ ଏହି ଜିଲ୍ଲାର ପ୍ରଥମ ଖେଳାଳି ହୋଇ ଥିବାରୁ ଜିଲ୍ଲା ଓ ରାଜ୍ୟ ପାଇଁ ସେ ଗୌରବ ବୃଦ୍ଧି କରିଛନ୍ତି ।