ବ୍ୟୁରୋ : ସୁଭଦ୍ରା ଟଙ୍କା ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଆସନ୍ତା ଡିସେମ୍ବର ୨୫ ତାରିଖରେ ମିଳିବ । ସେଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣଙ୍କ ଆବେଦନ ଗ୍ରହଣ କରାଯାଇଛି । ମଙ୍ଗଳବାର ଏହି ସମ୍ପର୍କୀତ ବୈଠକ ବସିଥିଲା । ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମମାନଙ୍କ କାର୍ୟ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ତେବେ ବୈଠକରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ଏହି ଟିମର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ନିଜେ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି କରିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ୬ ତାରିଖ ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ, ସହରାଂଚଳ ଓ ମହାନଗର ନିଗମ ସ୍ତରରେ ପ୍ରକାଶ କରାଯିବ ଓ ଏହା ପରେ ଆଉ ୭ ଦିନ ଯାଏଁ ଆପତ୍ତି ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ନଭେମ୍ୱର ୨୪ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିଥିଲା ଏବଂ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ନେଇ ଘୋଷଣା ହୋଇଥିଲା ।