ଆନ୍ଦୋଳନରତ ବିଜୁଳି କର୍ମଚାରୀଙ୍କୁ ଏସ.ୟୁ.ସି.ଆଇ ପକ୍ଷରୁ ଦୃଢ ସମର୍ଥନ

0

ଗଞ୍ଜାମ(ହରପ୍ରସାଦ ବିଷୋୟୀ)-ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା କମିଟି ଏବଂ ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଓଡିଶା ବିଜୁଳି କର୍ମଚାରୀ(ଆଉଟ ସୋର୍ସିଂ କର୍ମଚାରୀ)ଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଗତ ସୋମବାର ଠାରୁ ସଂଘ ପକ୍ଷରୁ  TPSODLମୁଖ୍ୟ  କାର୍ୟ୍ୟଳୟ ଆଗରେ ଚାଲିଥିବା ଗଣ ଧାରଣାକୁ ଦୃଢ ସମର୍ଥନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୀର୍ଘ ଦେଢ଼ ବର୍ଷ ଧରି କରୋନା ମହାମାରୀର ତାଣ୍ଡବଲୀଳାରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଛନ୍ତି । ଲକଡାଉନରେ ଅଫିସ, ଦପ୍ତର,କଳକାରଖାନା ସବୁ କିଛି ବନ୍ଦ ହୋଇଯାଇଛି । ଅନେକ ଲୋକ ସେମାନଙ୍କର କର୍ମ ସଂସ୍ଥାନ ହରାଇଛନ୍ତି । ଜନସାଧାରଣଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଅନ୍ୟପଟେ ଡିଜେଲ, ପେଟ୍ରୋଲ ଠାରୁ ଆରମ୍ଭ କରି ପନିପରିବା, ଡାଲି, ପିଆଜ, ତେଲ ଆଦି ନିତ୍ୟବ୍ୟବହାର୍ୟ୍ୟ ଜିନିଷ ପତ୍ରର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଭଳି ଏକ ଦୁର୍ଦ୍ଦିନରେ TPSODLଅଧୀନରେ ଥିବା ବିଜୁଳି ବିଭାଗର ଆଉଟ ସୋର୍ସିଂ କର୍ମଚାରୀଙ୍କ ଅବସ୍ଥା ଅତି ଶୋଚନୀୟ ଓ ଦୀର୍ଘ ଦିନ ଧରି ସ୍ଥାୟୀ ଚାକିରୀ ପାଇବା ଆଶାରେ ସେମାନେ କାମ କରିଆସୁଛନ୍ତି । ଅଥଚ କର୍ତ୍ତୃପକ୍ଷଙ୍କ ସେମାନଙ୍କ ପ୍ରତି କୌଣସି ଦୃଷ୍ଟି ନାହିଁ । ୨୦୧୮ ମସିହାର ଆନ୍ଦୋଳନର ଚାପରେ ଆଉଟ ସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ନିଯୁକ୍ତି କରିବା ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଏହି ଚୁକ୍ତିନାମାକୁ କାର୍ୟ୍ୟକାରୀ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଏଥିରୁ ଓହରି ଯିବା ସହ ଛଟେଇ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ତେଣୁ କର୍ମଚାରୀମାନେ ଆନ୍ଦୋଳନରତ ।ଏହି ଆନ୍ଦୋଳନକୁ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା ଓ ଏ.ଆଇ.ୟୁ.ଟି.ୟୁ.ସିର ସଂଗଠକ ପପୁନ ସାହୁ ସମର୍ଥନ କରିବା ସହ ବିଜୁଳି ବିଭାଗର ଘରୋଇକରଣର ଫଳସ୍ୱରୂପ ଆଜି ଏହି ଭଳି ପରିସ୍ଥିତି ଉପୁଜିଛି ବୋଲି ମତ ବ୍ୟକ୍ତ କରିଛନ୍ତି ଏବଂ ଆଉଟ ସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଛନ୍ତି ।