ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ଆଜି ଶକ୍ତିପୀଠ ଘଟଗାଁ ବାସିନୀ ମା’ ତାରିଣୀଙ୍କ ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି ।

0

(କେଉଁଝର) : ଆଜି ଶକ୍ତିପୀଠ ଘଟଗାଁ ବାସିନୀ ମା’ ତାରିଣୀଙ୍କ ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଷଷ୍ଠ ଦିନରେ ଆଜି ମା’ କାତ୍ୟାୟନୀ ରୂପ ଧାରଣ କରଛନ୍ତି। ଦେବୀଙ୍କର ଏହି ବେଶ ଯୋଦ୍ଧା ଦେବୀ ଭାବରେ ମଧ୍ୟ ଜଣାଶୁଣା। କାତ୍ୟାୟନୀଙ୍କୁ ଦେବୀ ପାର୍ବତୀଙ୍କ ଅନ୍ୟତମ ହିଂସାତ୍ମକ ରୂପ ବୋଲି କୁହାଯାଇଥାଏ। ଏହା ସହ ଆଜି ମା’ ତାରିଣୀ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ସୂଚନାନୁଯାୟୀ , ମା’ଙ୍କ ସୁନା ବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ଦୂରଦୁରାନ୍ତରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଛୁଟିଛି। ଆଜିଠାରୁ ଭକ୍ତମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମା’ଙ୍କର ସୁନା ବେଶକୁ ଦର୍ଶନ କରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି। ତେବେ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୃଣ୍ମୟୀ ମଣ୍ଡପରେ ସାଧାରଣ ଦର୍ଶନ ମନା ହୋଇଛି। କେବଳ ପୂଜକମାନେ ମାଙ୍କର ଯଥା ରୀତିକାନ୍ତିରେ ପୂଜା କାର୍ଯ୍ୟ ସମାପନ କରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି।