ପୁରୀ: ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ପୁଣିଥରେ ଗଡ଼ିଛି ତିନିରଥ । ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ସହ ରଥ ଚକାର ଘର୍ଘର୍ ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ । ବର୍ଷାରେ ଭିଜି ଭିଜି ସେବାୟତ ତିନି ରଥକୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସିଂହଦ୍ବାର ଚକଡ଼ାରେ ପହଞ୍ଚାଇଛନ୍ତି । ଅନ୍ୟପଟେ ଆଜି ଶ୍ରୀହରିଶୟନ ଏକାଦଶୀ ।
ଆଜି ରଥ ଉପରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ମହଣ ମହଣ ସୁନାରେ ଆଭୂଷିତ ହେବେ ଦାରୁବ୍ରହ୍ମ। ଶ୍ରୀଜୀଉଙ୍କ ଏହି ଆକର୍ଷଣୀୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସୋମବାର ଅଧରପଣା ନୀତି ସଂପନ୍ନ ହେବ । ଆସନ୍ତା ଆସନ୍ତା ୮ ତାରିଖରେ ନୀଳାଦ୍ରି ବିଜେ ଦିନ ମହାବାହୁ ରତ୍ନବେଦୀକୁ ବିଜେ କରିବେ। ସୁନାବେଶରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନର ସମନ୍ବୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାର୍କେଟ ଛକରୁ ଵ୍ୟାରିକେଡ଼ କରାଯାଇଛି। ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି।
୬ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସଂରଚନା କରି ସିଂହଦ୍ବାରରେ ପହଞ୍ଚିଛନ୍ତି କୋଟି ଓଡିଆଙ୍କ ମଉଡମଣୀ କାଳିଆ ସାଆନ୍ତ । ତାଳଧ୍ବଜ ଓ ଦର୍ପଦଳନ ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ। ନନ୍ଦିଘୋଷ ରଥ ୭ଟା ୫୫ସୁଦ୍ଧା ଶ୍ରୀନଅର ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ୯ଟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିସାରିଥିଲେ। ତେବେ ରଥଯାତ୍ରା ଦିନ ରଥ ପହଞ୍ଚି ପାରିନଥିବାରୁ ସଅଳ ବାହୁଡ଼ା ନୀତି ସମ୍ପନ୍ନ କରିବା ଉଦ୍ଦେଶ୍ୟ ନେଇ ନୀତିକାନ୍ତି ଆରମ୍ଭ ହୋଇଥିଲା। ସଅଳ ପହଣ୍ଡି ସହ ରଥଟଣା ୧ ଘଣ୍ଟା ୧୦ ମିନିଟ ପୂର୍ବରୁ ଆରମ୍ଭ ହୋଇଥିଲା। ମହାପ୍ରଭୁ ପହଣ୍ଡି ହୋଇ ଆସିବା ବେଳେ ପାଗ ଅନୁକୂଳ ଥିଲା। ମାତ୍ର ରଥ ଗଡ଼ିବା ପୂର୍ବରୁ ବର୍ଷା ଦାଣ୍ଡ ଧୋଇଦେଇଥିଲା।