ମୁମ୍ବାଇ: ଆଇପିଏଲ ମହାସମର। ଆଜି ରାତି ୭ଟା ୩୦ରେ ଖେଳାଯିବ ୫୫ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ । ପ୍ଲେ- ଅପ୍ ରେସ୍ ପାଇଁ ହାଇଦ୍ରାବାଦ୍ ଟିମ୍କୁ ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାସ୍ତ ହୋଇଛି । ମୋଟ ୬ଅଙ୍କ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଛି ହାର୍ଦ୍ଦିକ ବାହିନୀ । ତେବେ ଦଳ ଏକପ୍ରକାର ପ୍ଲେ-ଅପ୍ ରେସ୍ରୁ ବିଦା ହୋଇସାରିଲାଣି । ତଥାପି ଶେଷ ତିନୋଟି ମ୍ୟାଚ୍ ଜିତି ଦଳ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । ଚଳିତ ଟୁର୍ଣ୍ଣା ମେଣ୍ଟରେ ଦଳରେ ଷ୍ଟାର ଖେଳାଳି ଭରପୁର ଥିଲେ ମଧ୍ୟ ଆଶାନୁସାରେ ଖେଳ ପ୍ରଦର୍ଶନ କରିପାରିନାହିଁ । ସେପଟେ ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ ଏବେ ଯାଏଁ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି ।ଏହା ସହ ଦଳ ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି। ଚଳିତ ଟୁର୍ଣ୍ଣା ମେଣ୍ଟରେ ଚମତ୍କାର ଫର୍ମରେ ରହିଛି ହାଇଦ୍ରାବାଦ୍ ଟିମ୍ । ବିରୋଧୀ ଟିମ୍ ପାଇଁ କାଳ ସାଜିଛନ୍ତି ହାଇଦ୍ରାବାଦୀ ବ୍ୟାଟର । ତେଣୁ ଆଜିର ମ୍ୟାଚ ରେ ଜବରଦସ୍ତ ଖେଳ ପ୍ରଦର୍ଶନର ଆଶା ରହିଛି।
ସୂଚନା ଅନୁଯାୟୀ, ପଏଣ୍ଟ ଟେବୁଲର ଟପରେ ରହିଛି କୋଲକାତା ନାଇଟ୍ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲରେ ଟପରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି ।