କରୋନା ରୋଗୀଙ୍କ ଘର ବାହାରେ ଲଗାଯିବନି ପୋଷ୍ଟର: ସୁପ୍ରିମକୋର୍ଟ

0

(ନୁଆଦିଲ୍ଲୀ): ଏଣିକି କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଯିବ ନାହିଁ । ଏସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଘର ବାହାରେ ପୋଷ୍ଟର ମାରିବା ଦ୍ୱାରା ରୋଗୀଙ୍କ ସହ ଭେଦଭାବ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି । ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ, ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ରୋଗୀଙ୍କ ଘର ବାହାରେ ପୋଷ୍ଟର ମାରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ଥିଲା । ପଡୋଶୀ କିମ୍ବା ସେମାନଙ୍କ ସମ୍ପର୍କିୟଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାରମାନେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ । ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୋଷ୍ଟର ଲଗାଯିବା ଦ୍ୱାରା ରୋଗୀଙ୍କ ପରିବାର ଲୋକଙ୍କୁ ପଡୋଶୀଙ୍କ ଠାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏବେ କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲାଗିବନି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଭାରତରେ ଏବେ ୩ ଲକ୍ଷ ୭୮ ହଜାର ୯୦୯ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।