ନୂଆଦିଲ୍ଲୀ-: ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ । ପ୍ରଧାନ ବିଚାରପତି କହିଛନ୍ତି ସଂସଦରେ ପାରିତ ହୋଇଥିବା ଆଇନର ସାମ୍ବିଧାନିକତା ରହିଛି । ଠୋସ୍ ମାମଲା ନ ମିଳିବା ପର୍ଯ୍ୟନ୍ତ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ । ୱାକଫ୍ ଆଇନକୁ ଚ୍ୟାଲେଞ୍ଜ କରୁଥିବା ମାମଲାର ଶୁଣାଣି କରି ଏଭଳି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ବି-ଆର୍ ଗୱାଇ ।
ଆଜି ପୁଣି ଲଗାତାର ଦ୍ୱିତୀୟ ଦିନ ପାଇଁ, ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ନିଜ ପକ୍ଷର ଦଲିଲ୍ ଉପସ୍ଥାପନା କରିଥିଲା । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଥିଲେ । ଏହାକୁ ନେଇ ସେ କୋର୍ଟକୁ କହିଛନ୍ତି, ଏହା ଏପରି ମାମଲା ନୁହେଁ ଯେଉଁଠାରେ ମନ୍ତ୍ରଣାଳୟ ଏକ ବିଲ୍ ପ୍ରସ୍ତୁତ କରିଛି ଏବଂ କୌଣସି ଚିନ୍ତା ନକରି ଭୋଟିଂ କରାଯାଇଛି। ଆମେ ୧୯୨୩ ମସିହାରେ ଆରମ୍ଭ ହୋଇଥିବା ଏକ ପୁରୁଣା ସମସ୍ୟାର ସମାଧାନ କରୁଛୁ । ଏଥିସହିତ ସେ ଯୁକ୍ତି ବାଢିଥିଲେ ଯେ, ଆମେ ୨୦୨୩ ମସିହାରେ ୱାକଫ ସମ୍ପର୍କରେ କିଛି ତ୍ରୁଟି ଦେଖିଥିଲୁ । ଏହାକୁ ଦୂର କରିବା ପାଇଁ ଆମେ ଏକ ଆଇନ ଆଣିଛୁ । ଆବେଦନକାରୀ କିଛି ଲୋକ, ଯେଉଁମାନେ ପୂରା ମୁସଲିମ ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ପ୍ରତିନିଧିତ୍ୱ କରିପାରିବେ ନାହିଁ ।
ଏଥିସହିତ କେନ୍ଦ୍ର ଆହୁରି ବି କହିଛି ଯେ, ବିବାଦୀୟ ‘ୱାକଫ-ବ୍ୟବହାରକାରୀ’ ନୀତି ଅନୁଯାୟୀ ୱାକଫ ଘୋଷିତ ସମ୍ପତ୍ତିଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ଆଇନଗତ ଭାବରେ କ୍ଷମତାପ୍ରାପ୍ତ । ସରକାରୀ ଜମି ଉପରେ କାହାର ଅଧିକାର ନାହିଁ । ସୁପ୍ରିମକୋର୍ଟର ଏକ ରାୟ ଅଛି ଯାହା କହୁଛି ଯେ ଯଦି ଏହା ସରକାରଙ୍କର ଏବଂ ୱାକଫ ଭାବରେ ଘୋଷିତ ହୋଇଛି ତେବେ ସରକାର ସମ୍ପତ୍ତିକୁ ରକ୍ଷା କରିପାରିବେ ବୋଲି ମୁଖ୍ୟ ବିଚାରପତି ବି.ଆର. ଗବାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠକୁ କହିଛନ୍ତି ତୁଷାର ମେହେଟ୍ଟା ।