ସୁରତ ସ୍ଥିତି ଅଣାୟତ୍ତ ଗଞ୍ଜାମକୁ ବଢୁଛି ବିପଦ, ରହୁନି ଦୂରତା ଭୁଲିଗଲେଣି ମାସ୍କ

0

ହରପ୍ରସାଦ ବିଷୋୟୀ / ଗଞ୍ଜାମ : ଗୁଜୁରାଟର ସୁରତରେ କରୋନା ସଂକ୍ରମଣ ବିସ୍ପୋରକ ସ୍ଥିତିରେ | ପ୍ରତିଦିନ ସଂକ୍ରମଣ ହୁ ହୁ ହୋଇ ବଢୁଛି | କଟକଣା କଠୋର କରି କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି | ତଥାପି ଦୈନିକ ସଂକ୍ରମଣ ସଂଖ୍ୟା 6 ସହ ଉପରେ ରହୁଛି | ସୁରତ ସହରରେ ମହାମାରୀ ଅଣାୟତ୍ତ ହେବା ପରେ ଆକ୍ସନ ମୁଡ଼କୁ ଆସିଛି ସୁରତ କମିଶନରେଟ ପୋଲିସ | ସୁରତ ସହରରେ ରାତ୍ର 9 ଟାରୁ ସକାଳ 6 ରାତ୍ରୀ କର୍ଫ୍ୟୁ ବଳବତ୍ତର ଥିବା ବେଳେ ମାର୍ଚ୍ଚ 30 ରୁ ଏପ୍ରିଲ 15 ଯାଏଁ ସକାଳ 9 ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି | ସୁରତ ସ୍ଥିତ ଯେତିକି ଜଟିଳ ଆଡକୁ ଗତି କରୁଛି ଓଡିଶା ପ୍ରତି ସେତିକି ବିପଦ ବଢ଼ିବାରେ ଲାଗିଛି | ଗଞ୍ଜାମ ଜିଲ୍ଲାରେ ଏବେ ଦଣ୍ଡଯାତ୍ରା ଚାଲିଥିବା ବେଳେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ବ ହୋଇଛି | ଆଗକୁ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ରହିଛି | ସୁରତ ଓ ମୁମ୍ବାଇରୁ ପ୍ରତିଦିନ ଗୋଟିଏ ଲେଖାଏଁ ଟ୍ରେନରେ ପ୍ରବାସୀ ଫେରୁଛନ୍ତି | ହଟସ୍ପଟରୁ ପ୍ରବାସୀ ଫେରୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରତି ବିପଦ ବଢୁଛି |ଗୋଟେ ପଟେ ପ୍ରବାସୀ ଫେରୁଥିବା ବେଳେ ଏପଟେ କଟକଣା ନାହିଁ | ପରିବା ବଜାର ମାଛ ମାର୍କେଟ ଠୁ ଆରମ୍ବ କରି ସବୁଠି ଭିଡ | ସାମାଜିକ ଦୂରତା ରହୁନଥିବା ବେଳେ ଅଧିକାଂଶ ମାସ୍କ ପିନ୍ଧୁ ନାହାନ୍ତି | ଏବଂ ନବମ ଓ ଦଶମ ଶ୍ରେଣୀ ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷଦାନ ଆରମ୍ବ ହୋଇଛି | କିନ୍ତୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ କରୋନା କବଳିତ ହେବାରେ ଲାଗିଛି | ଅଧିକାଂଶ ଛାତ୍ର ଛାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି | ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା କଟକଣାକୁ କଡାକଡି କରିବା ସହ ଛାତ୍ରଛାତ୍ରୀଙ୍କୁ ସଚେତନତ କରିବାର ଆବଶ୍ୟକତା ରହିଛି | ଜିଲ୍ଲାରେ କରୋନା କଟକଣା କଡାକଡି ହେଉନଥିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି |