ଭୁବନେଶ୍ୱର: ଯାତ୍ରା ଜଗତରେ ଗୋଟେ ପରେ ଗୋଟେ ବିବାଦ ବଢ଼ି ଚାଲିଥିବା ବେଳେ ବଳି ପଡ଼ୁଛନ୍ତି ଜଣଙ୍କ ପରେ ଜଣେ କଳାକାର । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି । ନିଜ ନିଜର ଜିଦ୍ରେ ଅଟଳ ମାଲିକ ଏବଂ ଯାତ୍ରା କାଳକାର । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ଯାତ୍ରା କମେଡ଼ିଆନ୍ ଦୟାଙ୍କ ଉପରୁ ଉଠିଛି ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠାଇଲା ସଂଘ । ତେବେ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠାଇଛି ମାଲିକ ସଂଘ । ଯାତ୍ରା ମାଲିକ ସଂଘ ସଭାପତିଙ୍କୁ ଭୁଲ୍ ମାଗିଲେ ଦୟା । ଏନେଇ ସୂଚନା ଦେଇଛନ୍ତି ଓପେରା ମାଷ୍ଟର୍ସ ଆସୋସିଏସନ୍ ସଭାପତି ବିଜୟ ଦାସ ।
ସୂଚନାଯୋଗ୍ୟ, ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିଥିଲେ ହାସ୍ୟ ଅଭିନେତା ଦୟା । କିଛି ଦିନ ତଳେ ଯାତ୍ରା କମେଡିଆନ ଦୟାନିଧି ଉପାଧ୍ୟାୟ ଖୋଲାଖୋଲି ଯାତ୍ରା ମାଷ୍ଟର, ନିର୍ଦ୍ଦେଶକ ଓ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେ କହିଥିଲେ ‘ଯାତ୍ରାରେ କମେଡି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଗ ରୁଷା, ସିରିୟସ୍ ଡାଇଲଗ ଭିତରେ ମଣିଷକୁ ଟିକିଏ ହସାଇବା କମେଡିଆନଙ୍କ ପାଇଁ କଷ୍ଟକର ହୋଇପଡିଥାଏ । କିନ୍ତୁ, ଯାତ୍ରା ଲେଖକମାନେ କମେଡିଆନଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ କି ମାଲିକମାନେ ଗୋଟିଏ କି ଦୁଇଟି ସିନ୍ ଦେଇ ଦେଲେ ସବୁ ହୋଇଗଲା ବୋଲି ଭାବନ୍ତି ।