ମୁମ୍ବାଇ: ଫ୍ଲାଟ୍ରୁ ମିଳିଲା ମହିଳାଙ୍କ ମୃତଦେହ । ମହିଳା ଜଣକ ଟ୍ରେନି ଏୟାର୍ ହୋଷ୍ଟେସ ଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ମୁମ୍ବାଇରେ । ପୋଓ୍ଵଇ ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସେ ରହୁଥିବା ଫ୍ଲାଟ୍ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୁମ୍ବାଇ ଡିସିପି ଦତ୍ତା ନାଲାଓ୍ଵାଡେଙ୍କ କହିବାନୁସାରେ ମୃତ ଯୁବତୀ ଜଣେ ଟ୍ରେନି ଏୟାର ହୋଷ୍ଟେସ୍ ଥିଲେ। ନିକଟରେ ତାଙ୍କର ଚୟନ ହୋଇଥିଲା। ଯୁବତୀଙ୍କ ନାଁ ରୁପଲ୍ ଓଗରେ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରେ ପୋଲିସ କହିଛି, ଯୁବତୀଙ୍କୁ ଛୁରୀରେ ଗଳା କାଟି ହତ୍ୟା କରାଯାଇଛି। ପୋଲିସ ମୃତ ଯୁବତୀଙ୍କ ଫୋନ୍ ଏବଂ ବିଲ୍ଡିଂରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଏହି ମାମଲାରେ ବିଲ୍ଡିଂରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଗତ ରାତିରେ ଏଭଳି ଘଟଣା ଘଟିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲାବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।