ସ୍ୱଚ୍ଛ ସର୍ବେକ୍ଷଣ-୨୦୧୯, ଶ୍ରେଷ୍ଠ ସ୍ୱଚ୍ଛ ସହରକୁ ପୁରସ୍କୃତ କରିବେ ରାଜ୍ୟ ସରାକର

0

(ଶୁଭସ୍ମିତା ଦାଶ): ଓଡ଼ିଶାକୁ ଦେଶର ପ୍ରଥମ ୩ଟି ସ୍ୱଚ୍ଛ ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ଦିଗରେ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ । ସ୍ୱଚ୍ଛ ସର୍ବେକ୍ଷଣ-୨୦୧୯ ପୂର୍ବରୁ ‘ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା’ ଶୀର୍ଷକ କର୍ମଶାଳାରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥାନନ୍‌ ଏହା କହିଛନ୍ତି । ଆଜି ହୋଟେଲ ମେ’ ଫେୟାର ପରିସରରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୧୯ରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ମହାନଗର ନିଗମ ଓ ପୌରାଞ୍ଚଳକୁ ରାଜ୍ୟ ସରକାର ପୁରସ୍କୃତ କରିବେ। ଜାତୀୟସ୍ତରରେ ଯେଉଁମାନେ ଓଡ଼ିଶାକୁ ଗର୍ବିତ କରିବେ ସେମାନଙ୍କ ମଧ୍ୟରୁ ପ୍ରଥମ ୩ଟି ସ୍ଥାନରେ ଥିବା ସହରକୁ ପୁରସ୍କୃତ କରାଯିବା ସହ ବାହାର ଦେଶରେ କିଭଳି ସ୍ବଚ୍ଛତା ରହିଛି ତାହାକୁ ଦେଖିବା ପାଇଁ ପଠାଯିବ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ‌ମେୟର ଅନନ୍ତ ନାରାୟଣ ଜେନା, କଟକ ମେୟର ମିନାକ୍ଷୀ ବେହେରା, ସ୍ୱଚ୍ଛ ଭାରତ ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ବିଏମ୍‌ସି କମିସନର ଡ. କ୍ରିଷନ କୁମାର, ବିଏମ୍‌ସି ଅତିରିକ୍ତ କମିସନର ଶୁଭମ ସକ୍ସେନା, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କ ସମେତ ୩ଠଠରୁ ଅଧିକ କାର୍ୟ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।
ଏଥର ସର୍ବେକ୍ଷଣରେ ୪୩୭୮ ସହର ଭାଗ ନେଇଛନ୍ତି। ପ୍ରତି ସହର ପାଇଁ ୫ ହଜାର ମାର୍କ ନିର୍ଦ୍ଧାରଣ କରାଯାଇଛି। ନାଗରିକ ମତାମତ ପାଇଁ ୧୨୫୦ ମାର୍କ, ଦସ୍ତାବିଜ୍ ତଦାରଖ ପାଇଁ ୧୨୫୦ ମାର୍କ, ସାର୍ଟିଫିକେସନ୍ ଓ ରେଟିଂ ପାଇଁ ୧୨୫୦, ସିଧାସଳଖ ତଦାରଖ ପାଇଁ ୧୨୫୦ ମାର୍କ ରଖାଯାଇଛି। ତେବେ ଚଳିତଥର ଅନ୍‌ଲାଇନ୍‌ ମାଧ୍ୟମରେ ସହରର ହୋଇଥିବା ସମସ୍ତ କାର୍ୟ୍ୟ, ଦସ୍ତାବିଜ୍, ନାଗରିକ ମତାମତ ଓ ଅନ୍ୟାନ୍ୟ କାର୍ୟ୍ୟକୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ବିଭିନ୍ନ ଶ୍ରେଣୀ ଅନୁଯାୟୀ ମାର୍କ ମିଳିବ ଓଡିଏପ୍++ ପାଇଁ ୨୫୦ ଥିବା ବେଳେ ଓଡିଏପ୍ ୧୦୦ ମାର୍କ ରହିଛି।