ଛାତ୍ରୀଙ୍କୁ ଆଇନ ସଚେତନତା ନେଇ ଆରମ୍ଭ ହେଲା ‘ସ୍ୱୟଂସିଦ୍ଧା’ ଅଭିଯାନ

0

ଭୁବନେଶ୍ୱର: ସୋମବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ମହିଳାଙ୍କ ଆଇନଗତ ସୁରକ୍ଷା ଓ ଅଧିକାର ନେଇ ‘ସ୍ୱୟଂସିଦ୍ଧା’ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‍ଘାଟିତ ହୋଇଯାଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ମହିଳାଙ୍କ ଅଧିକାର ଓ ସୁରକ୍ଷା ଆଇନ  ବାବଦରେ ସଚେତନ କରାଇବା ଲକ୍ଷ୍ୟ ନେଇ ‘ମୋ କଲେଜ ଅଭିଯାନ’ ଏବଂ ‘ଓଡ଼ିଶା ରାଜ୍ୟ ମହିଳା ଆୟୋଗ’ ମିଳିତ ଉଦ୍ୟମରେ ଅୟମାରମ୍ଭ  ହୋଇଯାଇଛି । ତେବେ ଏହି ଅଭିଯାନ ରାଜ୍ୟରେ ନାରୀ ସୁରକ୍ଷା କ୍ଷେତ୍ରରେ ନୂଆ ଦିଗ ଯୋଡ଼ିବା ସହ ଛାତ୍ରୀଙ୍କୁ ଆଇନଗତ ସୁରକ୍ଷା ଦେବ । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ବଖାଣିଥିଲେ । ନାରୀ  ସୁରକ୍ଷା ଓ କର୍ତ୍ତବ୍ୟ ନେଇ ରହିଥିବା ଆଇନ ବାବଦରେ ଛାତ୍ରୀଙ୍କୁ ଅବଗତ କରାଯାଇ ପାରିଲେ ସେମାନେ ନିଜେ ସୁରକ୍ଷିତ ହେବା ସହ ପରିବାର,  ସାଥୀ ଓ ପଡ଼ୋଶୀଙ୍କୁ ସଚେତନ କରାଇବେ । ଆଗାମୀ ଦିନରେ ସମ୍ପୃକ୍ତ କାର୍ଯ୍ୟକ୍ରମ ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ  ଆୟୋଜନ ନେଇ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତକୁ ଗୁରୁତ୍ୱ ଦେଉଥିବା କହିଥିଲେ । ସେହିପରି ‘ଓଡ଼ିଶା ରାଜ୍ୟ  ମହିଳା ଆୟୋଗ’ ଅଧ୍ୟକ୍ଷା ଡ. ମିନତି ବେହେରା ଯୋଗଦେଇ ବାଲ୍ୟ ବିବାହ, ଯୌନ ଶୋଷଣ, ସାଇବର ଅପରାଧ, ନାବାଳିକା ଅସଦାଚରଣ  ଆଦି ନେଇ ରହିଥିବା ଆଇନ ତଥା ସରକାରୀ ଓ ସାମ୍ବିଧାନିକ ସୁରକ୍ଷା ବାବଦରେ ସଚେତନ କରାଇଥିଲେ । ଆବଶ୍ୟକ ସ୍ଥଳେ ବିଭିନ୍ନ ବିଭାଗର  ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଗୁଡ଼ିକରେ ଯୋଗାଯୋଗ କରିବାକୁ ସୂଚନା ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ  ଅଧ୍ୟକ୍ଷତା କରିବା ସହ ଛାତ୍ରୀଗଣ ନିଜର ଅଧିକାର ସହ କର୍ତ୍ତବ୍ୟ ବାବଦରେ ମଧ୍ୟ ଯତ୍ନବାନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଅନୁରୂପ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ୟାମଳୀ ମହାପାତ୍ର, ପିଜିସି ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ । ‘ରାଜ୍ୟ  ମହିଳା ଆୟୋଗ’ର ଡ. ଏନ ଟୁନା ସାହୁ ଛାତ୍ରୀଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ୩୬ ଗୋଟି ଅନୁବନ୍ଧିତ  କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ସଂଯୋଜକ ଏବଂ ବିଶ୍ୱବିଦ୍ୟାଳୟର ପନ୍ଦର ଶହ ଛାତ୍ରୀ ଉପସ୍ଥିତ ଥିଲେ । ଡ. ସଂଘମିତ୍ରା ଭଞ୍ଜ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ‘ମୋ କଲେଜ’ ସଂଯୋଜକ ଡ. ସ୍ନେହଲତା ଦାସ ଧନ୍ୟବାଦ ଦେଇଥିଲେ।