ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

0

ବ୍ୟୁରୋ-: ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ସଟଲର୍ ତନଭି ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି । ରବିବାର ୧୬ବର୍ଷୀୟା ତନଭି ମହିଳା ଏକକ ସେମିଫାଇନାଲ୍‌‌ରେ ସପ୍ତମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍‌ର ପୋଲିନା ବୁରୋଭାଙ୍କୁ ମାତ୍ର ୩୪ ମିନିଟ୍‌ରେ ୨୧-୧୪, ୨୧-୧୬ରେ ହରାଇଥିଲେ । ଏଥିସହ ତନଭି ଏହି ୟୁକ୍ରେନ୍‌ ଖେଳାଳିଙ୍କ ବିପକ୍ଷରେ ଦ୍ୱିତୀୟ ବିଜୟ ଅର୍ଜନ କରିବା ସହ ବିଶ୍ୱ ଟୁର୍ ଇଭେଣ୍ଟର ଫାଇନାଲ୍‌ ପହଞ୍ଚିବାରେ ସବୁଠୁ କନିଷ୍ଠ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ତେବେ ତନଭି ଫାଇନାଲ ପର୍ଯ୍ୟନ୍ତ ୟୁଏସ୍ ଓପନ୍‌ରେ ଗୋଟିଏ ବି ଗେମ୍ ହାରି ନଥିଲେ , ପୂର୍ବ ଚାରୋଟି ମ୍ୟାଚ୍ ଦ୍ୱିତୀୟ ସେଟ୍‌ରେ ଜିତି ନେଇଥିଲେ ତନଭି । ଫାଇନାଲ୍‌ରେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାର ବିୱେନ୍‌ ଝାଙ୍ଗଙ୍କୁ ଭେଟିବେ। ପୁରୁଷ ଏକକରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଆୟୁଷ କଡ଼ା ସଂଘର୍ଷ ପରେ ୨୧-୨୩, ୨୧-୧୫, ୨୧-୧୪ରେ ବିଶ୍ୱର ୬ ନମ୍ବର ଚାଇନିଜ୍‌ ତାଇପେର ଚୌଉ ତିନ ଚେନ୍‌ଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ରେ ଆୟୁଷ ତୃତୀୟ ମାନ୍ୟତାପ୍ରାପ୍ତ କାେନାଡ଼ାର ବ୍ରାଏନ ୟଙ୍ଗ୍‌ଙ୍କୁ ଭେଟିବେ ।