ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

0

(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଶିକ୍ଷୟିତ୍ରୀ ଆତ୍ମାହୁତି ଉଦ୍ୟମ । ଶିକ୍ଷୟିତ୍ରୀଙ୍କ ସହ ଏସପିଙ୍କ ଆଲୋଚନା ପରେ ଅତିରିକ୍ତ ଏସପି ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ । ୨୦୦୬ ମସିହାରୁ ନିମାପଡା ଦହିଜଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟିତ୍ରୀ ଭାବେ କାର୍ୟ୍ୟ କରୁଥିବା ସସ୍ମିତା ସେନାପତିଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଲିଙ୍ଗରାଜ ଖଟୋଇ ମନ୍ଦ ଉଦ୍ଦେଶ୍ୟ ରଖି ଅସଦାଚରଣ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଗତମାସ ୧୪ ତାରିଖରେ ନିମାପଡ଼ା ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ମାମଲା ରୁଜୁ କରି ସଙ୍ଗୀନ ଦଫା ଲଗାଇଥିଲେ ମଧ୍ୟ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ ନକରିବାରୁ ସସ୍ମିତା ଏସପି,କୋର୍ଟ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ।ଏ ସବୁ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।ସ୍କୁଲକୁ ସସ୍ମିତା ଗଲେ ତାଙ୍କୁ କର୍ମଚାରୀ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ଦିଆଯାଉନାହିଁ ।ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଆସିଥିଲେ। ଏସପିଙ୍କ ସହ ଆଲୋଚନା ପରେ ଆଜି ଅତିରିକ୍ତ ଏସପି ସ୍କୁଲ ଓ ଗାଁକୁ ଯାଇ ଘଟଣାର ତଦନ୍ତ କରିବାକୁ ଏସପି ପ୍ରତିଶୃତି ଦେଇଛନ୍ତି।