ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ

0

ମୁମ୍ବାଇ: ଅବଶିଷ୍ଟ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଗୁରୁବାର ଟିମ ଇଣ୍ଡିଆ ସଦସ୍ୟ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି । ଏହି ଟିମରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି, ବ୍ୟାଟର ଚେତେଶ୍ୱର ପୂଜାରା, ବୋଲର ଯଶପ୍ରୀତ ବୁମରାଙ୍କ ପରି ବରିଷ୍ଠ ଖେଳାଳି ରହିଛନ୍ତି । ହେଲେ ଆଘାତ ଜନିତ କାରଣରୁ ବ୍ୟାଟର ଲୋକେଶ ରାହୁଲ ଇଂଲଣ୍ଡ ଗସ୍ତରେ ଯାଇନଥିବା ଜଣାପଡିଛି । ମାତ୍ର ଚିକିତ୍ସା ପାଇଁ ସେ ଜର୍ମାନ ଯାତ୍ରା କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ମାତ୍ର ଏନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

୨-୧ରେ ଟିମ ଇଣ୍ଡିଆ ଆଗରେ ରହିଛି । ତେଣୁ ଏହି ମ୍ୟାଚକୁ ଜିତି ଇଂଲଣ୍ଡ ସିରିଜକୁ ବରାବର କରିବାକୁ ଚେଷ୍ଟା କରିବ । ଅପରପକ୍ଷେ ଏହି ଟେଷ୍ଟକୁ ଅନ୍ତଃତପକ୍ଷେ ଡ୍ର’ ରଖି ସିରିଜ ବିଜୟୀ ହେବାକୁ ଭାରତ ଚେଷ୍ଟା କରିବ । ଗୁରୁବାର ଯାତ୍ରାରମ୍ଭ କରିଥିବା ଟିମ ଇଣ୍ଡିଆ ଦଳରେ ପୂର୍ବତନ କ୍ୟାପଟେନ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଆର.ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, କେ.ଏସ.ଭରତ ଓ ହନୁମା ବିହାରୀ ସାମିଲ ହୋଇଛନ୍ତି । ହେଲେ ଏହି ଦଳରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିନାହିଁ । ଟିମ ଇଣ୍ଡିଆର ଇଂଲଣ୍ଡ ଯାତ୍ରାକୁ ନେଇ ଏକ ଭିଡିଓକୁ ବିସିସିଆଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡିଛି ।