ମୟୂର ମାଂସର ଭିଡିଓ ସେୟାର କରି ଫସିଲେ ୟୁଟୁ୍ୟବର । ସୋସିଆଲ ମିଡିଆରେ ‘ମୟୂର କରି’ ତିଆରି କରିବାର ରେସିପିର ଭିଡିଓ ଭାଇରାଲ ହେବା ପରେ ତେଲେଙ୍ଗାନାର ୟୁଟ୍ୟୁବର୍ ପ୍ରଣୟ କୁମାର ଅଡ଼ୁଆରେ ପଡ଼ିଛନ୍ତି । ଭାଇରାଲ ଭିଡିଓରେ ବେଆଇନ ବନ୍ୟଜନ୍ତୁ ବ୍ୟବହାରକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଛି । ବନ ବିଭାଗ ରବିବାର ଦିନ ପ୍ରଣୟ କୁମାରଙ୍କୁ ଗିରଫ କରିବା ସହ ଯେେଉଁଠାରେ ସେ ‘ମୟୂର ତରକାରୀ’ ରାନ୍ଧିଥିଲେ ଏବଂ ଭିଡିଓ ସୁଟ୍ କରିଥିଲେ ସେହି ସ୍ଥାନକୁ ନୀରିକ୍ଷଣ କରିଛନ୍ତି ।
ତେଲଙ୍ଗାନାର ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଭାରତର ଜାତୀୟ ପକ୍ଷୀକୁ ବେଆଇନ ହତ୍ୟାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଣୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ପ୍ରଣୟ ସିର୍ସିଲା ଜିଲାର ଟାଙ୍ଗଲାପାଲ୍ଲୀର ମୂଳ ବାସିନ୍ଦା। ଯଦିଓ ଏହି ଭିଡିଓକୁ ଚ୍ୟାନେଲରୁ ହଟାଇ ଦିଆଯାଇଛି, ପ୍ରାଣୀ ଅଧିକାର କର୍ମୀମାନେ ପ୍ରଣୟ କୁମାରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କୁ ଏବେ ଗିରଫ କରାଯାଇଛି । ଏହାପୂର୍ବରୁ ସେ ନିଜ ଚ୍ୟାନେଲରେ ବଣୁଆ ଘୁଷୁରୀ ରାନ୍ଧିବା ଭିଡିଓ ବି ସେୟାର କରିଥିଲେ।
ଭାରତୀୟ ନିୟମ ଅନୁଯାୟୀ, ମୟୂରର ମାଲିକାନା କିମ୍ବା ଧରିବା ଭାରତରେ ବେଆଇନ ଅଟେ ଏବଂ ଏହାକୁ ଉଲ୍ଲଂଘନ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।