(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆସନ୍ତା ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ସାଧାରଣ ଠାରୁ ଅଧିକ ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର କହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଉତ୍ତର-ପଶ୍ଚିମରେ ସାଧାରଣ ଠାରୁ ୦.୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ପଶ୍ଚିମ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତରେ ମଧ୍ୟ ତାପମାତ୍ରା ସାଧାରଣ ଠାରୁ ବେଶୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଓ ଅରୁଣାଚଳ ପ୍ରଦେଶରେ ଚଳିତ ବର୍ଷର ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ତାପମାତ୍ରା ପାଖାପାଖି ୧ ଡିଗ୍ରୀ ଅଧିକ ରହିବ । ସେହିଭଳି ଜମ୍ମୁ କଶ୍ମୀର, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ ଓ ପଶ୍ଚିମ ମଧ୍ୟପ୍ରଦେଶ ସମେତ ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜୁରାଟ, ସୌରାଷ୍ଟ୍ର, କଚ୍ଛ, କୋଙ୍କଣ, ଗୋଆ, ମଧ୍ୟ ମହରାଷ୍ଟ୍ର, ମରାଠାୱାଡା, ବିଦର୍ଭ, ଉତ୍ତର କର୍ଣ୍ଣାଟକ, ଉପକୂଳ କର୍ଣ୍ଣାଟକ, ଓ କେରଳରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ଜଣାଯାଇଛି ।