ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ  ବଢ଼ିଛି ତାପମାତ୍ରା

0

ଭୁବନେଶ୍ୱର: ଦିନ ତାପମାତ୍ରା କ୍ରମଶଃ ଉପରମୁହାଁ ହେଉଛି । ଗତ ଦୁଇ ଦିନରେ ଅଧିକାଂଶ ସ୍ଥାନରେ ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରୀ  ବଢ଼ିଛି । କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ତାତି କମ୍‌ ରହୁଥିଲା। କିନ୍ତୁ ଏବେ ଖରା ବଢ଼ିବା ସହ ୨୯ରୁ ପୁଣି ଜଳାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।   ସେପଟେ ୨୯ରେ ସୋନପୁର, ବଲାଙ୍ଗିର, ବୌଦ୍ଧ କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା ନାହିଁ । ୨୮ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା ଓ ବଲାଙ୍ଗୀର ତାପମାତ୍ରା ୪୦ ଡିଗ୍ରି ଛୁଇଁବ । କ୍ରମଶଃ ଏହା ବୃଦ୍ଧି ପାଇ ୩୦ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ସୋନପୁର ତାପମାତ୍ରା ୪୨ ଡିଗ୍ରି ଟପିଯିବ ।

ସେହିପରି ଗତକାଲି ବୌଦ୍ଧ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖରେ ପହଞ୍ଚିଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୯.୫, ସମ୍ବଲପୁରରେ ୩୯.୨, ହୀରାକୁଦରେ ୩୯, ପାରଳା‌ଖେମୁଣ୍ଡିରେ ୩୮.୮, ଢେଙ୍କାନାଳ ଓ ସୋନପୁରରେ ୩୮.୩, ମାଲକାନଗିରିରେ ୩୮.୧, ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି ।