ଆଗକୁ କମିବ ତାତି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ

0

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ତାତି ସାଙ୍ଗକୁ ଗୁଳୁଗୁଳି ରେ ନାକେଦମ ହେଲେଣି ରାଜ୍ୟ ବାସି । ତେବେ ଆଗକୁ କମିବ ତାତି । କିନ୍ତୁ କମିବନି ଗୁଳୁଗୁଳି । ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଏଥିପାଇଁ ଅଧିକ ଗୁଳୁଗୁଳି   ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ ଦେଖାଇଛନ୍ତି। ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି  ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।  ତେବେ ଆସନ୍ତା  ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ବାତ୍ୟା ଓ ୨୭ରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ରେ ଗୁଜୁରାଟ ଉପକୂଳ ଛୁଇଁବ।

ଅନ୍ୟପଟେ କେନ୍ଦ୍ରୀୟ ପୂର୍ବ-ବଙ୍ଗୋପସାଗରରେ ଥାଇଲାଣ୍ଡ ଉପକୂଳ ନିକଟରେ ୨୭ତାରିଖରେ ଏକ ଘୂର୍ଣ୍ଣିବଳୟ ଓ ୨୮ରେ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବ। ୨୯ରେ ଏହା ଅବପାତରେ ପରିଣତ ହେବ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଏହା ୨୯ କିମ୍ବା ୩୦ ବେଳକୁ ବାଂଲାଦେଶ/ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ। ତେବେ ଆଗକୁ ଏହା ଉପରେ ତୀକ୍ଷ୍ଣ ନଜର ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗୁଳୁଗୁଳି ଓ ଗରମ ସହ କାଳବୈଶାଖୀ ବର୍ଷା ଜାରି ରହିଛି। ଏଭଳି ସ୍ଥିତି ଆହୁରି ୫ଦିନ ଯାଏ ଜାରି ରହିବା ସହ ସୋମବାର ଯାଏଁ ଉଷ୍ମ ଓ ଆର୍ଦ୍ର ସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ କେନ୍ଦ୍ରୀୟ ହରିୟାଣା, ଉତ୍ତର ପ୍ରଦେଶ, ବିହାର ଓ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏକ ଟ୍ରଫ୍‌-ଲାଇନ୍‌ କେନ୍ଦ୍ରୀୟ ପଞ୍ଜାବ ଦେଇ ଉତ୍ତର ବଂଲାଦେଶ ଯାଇ ଲମ୍ୱିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ନେଇ ସ୍ଥିତି ସୁହାଉଛି। ଏହି ଦୁଇ ନିୟାମକ କାଳବୈଶାଖୀ ବର୍ଷାକୁ ଆହୁରି ସକ୍ରିୟ କରୁଥିବାରୁ ୨୨ ଯାଏ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ନୂଆପଡା ଆଦି ୧୫ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୩୦ରୁ ୫୦ କିମି ବେଗରେ ପବନ ବହିବା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଏହି ୫ଜିଲ୍ଲାକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟର ୩ଟି ଜିଲ୍ଲାରେ ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ତାପମାତ୍ରା ରହିଥିବା ବେଳେ ୪୦.୬ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।