(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର କଚୁଆରେ ଏକ ମନ୍ଦିର ପାଚେରି ଭାଙ୍ଗି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଜନ୍ମାଷ୍ଟମୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ନିରବଚ୍ଛିନ୍ନ ବର୍ଷା ଯୋଗୁଁ ମନ୍ଦିର ପାଚେରୀ ସଂଲଗ୍ନ ଏକ ଦୋକାନରେ କିଛି ଶ୍ରଦ୍ଧାଳୁ ଠିଆହୋଇଥିଲେ । ଏହି ସମୟରେ ପାଚେରିଟି ଖସିପଡିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଧାଁଆ ଦୌଡ ଆରମ୍ଭ ହୋଇଯାଇଥିଲା । ଦଳାଚକଡାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତଙ୍କୁ ଦେଖିବାକୁ ଡାକ୍ତରଖାନାରେ ପହଂଚିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା, ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ।