ରକ୍ତ ଏବଂ ମୁତ୍ର ପରୀକ୍ଷା ଜଣାଇବ ମାନସିକ ଅବସାଦ

0

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରକ୍ତ ଏବଂ ମୁତ୍ର ପରୀକ୍ଷାରୁ ଜଣେ ବ୍ୟକ୍ତିଙ୍କଠାରେ ମାନସିକ ଅବସାଦ ରହିଛି କି ନାହିଁ ତାହା ଜଣାପଡିଯିବ ବୋଲି ନିକଟରେ ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ୱାରା ମାନସିକ ଅବସାଦ ରୋଗ ଚିହ୍ନଟପରେ ଆବଶ୍ୟକ ଚିକିତ୍ସା ଦିଆଯାଇପାରିବ। ଫଳରେ ପରବର୍ତ୍ତୀ ସମୟରେ ଆଉ ଅଧିକ ହଇରାଣ ହେବାକୁ ପଡ଼ିବ ନାହିଁ। ମାନସିକ ଅବସାଦ ଗ୍ରସ୍ତ ଲୋକଙ୍କ ରକ୍ତର ପ୍ଲାଜମାରେ କେତେକ ଅନିୟମିତତା ଦେଖାଯାଇଥାଏ। ସେହିପରି ଶରୀରରେ ପ୍ରକାଶ ପାଉଥିବା ବିଭିନ୍ନ ଉତ୍ତେଜନା ଯୋଗୁ ହରମୋନ କ୍ଷରଣରେ ଅନିୟମିତତା ସୃଷ୍ଟି ହୋଇଥାଏ। ଏହା ମୁତ୍ରରେ ଥିବା ହରମୋନ ପରିମାଣରୁ ସହଜରେ ଜଣାପଡ଼େ। ଏଭଳି ଳୋକଙ୍କଠାରେ ଡାଇଟ୍ରୋସାଇନ୍‌ ହରମୋନ୍‌ ଓ ଶର୍କରାରୁ ସୃଷ୍ଟି ହେଉଥିବା କେତେକ ଯୌଗିକସ୍ତର ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଇଥାଏ। ସେସବୁ ଯୌଗିକ ସମ୍ପର୍କରେ ମୁତ୍ର ବିଶ୍ଲେଷଣରୁ ଜଣାପଡ଼େ। ସେହିପରି ରକ୍ତରେ ଥିବା ଗ୍ଲାଇକାଟିନ୍‌ ଯୌଗିକସ୍ତର ମଧ୍ୟ ମାନସିକ ସ୍ଥିତି ଉପରେ ପକାଇଥାଏ ନକାରାତ୍ମକ ପ୍ରଭାବ । ଏହି ମର୍ମରେ ଗବେଷକ ମାନସିକ ଅବସାଦ ଗ୍ରସ୍ତ ୨ ହଜାର ଲୋକଙ୍କ ଉପରେ ପରୀକ୍ଷା କରିଥିଲେ। ଏହା ସହିତ ସୁସ୍ଥ ଥିବା ୩ ହଜାର ଲୋକଙ୍କ ଉପରେ ମଧ୍ୟ ପରୀକ୍ଷା କରିଥିଲେ। ମାନସିକ ଅବସାଦ ପାଇଁ ଜିନ୍‌ ଗତ ତ୍ରୁଟି ୩୦ରୁ ୩୫ ପ୍ରତିଶତ ଦାୟୀ ରହିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ତେବେ ଏହି ରୋଗ ଅନେକ ପୂର୍ବରୁ ରକ୍ତ ଓ ମୁତ୍ର ପରୀକ୍ଷା ଦ୍ୱାରା ଚିହ୍ନଟ ହୋଇପାରିଲେ ଚିକିତ୍ସା ସହଜ ହୋଇ ପାରୁଥିବା ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।