ସାଂପ୍ରତିକ ପରିସ୍ଥିତି ମଧ୍ୟରେ ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି

0

ଭୁବନେଶ୍ୱର-: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣି ସୁରକ୍ଷାକର୍ମୀ। ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଜିଲ୍ଲା ଲାଇଟ୍ ହାଉସ, ପୁରୀ ଶ୍ରୀମନ୍ଦିର, ହୀରାକୁଦ ଡ଼୍ୟାମ, ପାରାଦୀପ ବନ୍ଦର ପ୍ରମୁଖ ସ୍ଥଳରେ ଆଲର୍ଟ ଜାରି କରିଛନ୍ତି। ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ କଡ଼ା ନଜର ରଖିଛନ୍ତି କର୍ତ୍ତୃପକ୍ଷ ଏବଂ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ସହ, ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‍ ବୁଲିବା ମନା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନ ମୁତୟନ ହୋଇଛନ୍ତି । ପୁରୀର ବିଭିନ୍ନ ସ୍ଥାନ ସହ ପୁରୀ ଶ୍ରୀମନ୍ଦିରରେ ପୋଲିସଙ୍କ ଛାଉଣୀ ହୋଇଛି। ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ‌ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଉଛି।