ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆତଙ୍କବାଦୀ ମାନେ ଗୁଳିମାଡ଼ କରିଛନ୍ତି । ୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରଣ କରିଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା । ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।
ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟି ଉପର ଅଞ୍ଚଳରେ ଏକ ପର୍ଯ୍ୟଟନ ସ୍ଥାନ ଅଛି । ଏହି ସ୍ଥାନକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାଆନ୍ତି । ଏଠାରେ ପ୍ରାୟତଃ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ । ମଙ୍ଗଳବାର ବୈସରନ ଘାଟି ଉପର ଅଞ୍ଚଳରେ ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ । ଆତଙ୍କବାଦୀଙ୍କ ଏହି ଗୁଳିମାଡ଼ରେ୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରଣ କରିଥିବା ସୂଚନା ମିଳିଛି ।
ତେବେ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଚିନ୍ତାର ବିଷୟ ପାଲଟିଛି । ତେବେ ପୁଲିସ ଏବଂ ସେନାର ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳ ଏବେ ହାଇ ଆଲର୍ଟରେ ରହିଛି । କିନ୍ତୁ କେତେ ସଂଖ୍ୟକ ଆତଙ୍କବାଦୀ ଅଛନ୍ତି ଏବଂ କେମିତି ଆକ୍ରମଣ ହେଲା ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହାଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛନ୍ତି । ଏ ଦିଗରେ ଗୃହମନ୍ତ୍ରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅମିତ ଶାହ ଆଜି ସନ୍ଧ୍ୟା ୭ଟାରେ କାଶ୍ମୀର ଯିବେ ।
ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପହାଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ‘ଏକ୍ସ’ ଜରିଆରେ କହିଛନ୍ତି, ପହାଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ହିଂସା ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହାର ନିନ୍ଦା କରାଯିବା ଉଚିତ୍ ।