ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଷ୍ଟାଡିୟମରେ ଏକ ଆଧ୍ଯାମ୍ଭିକ ପରିବେଶ ମଧ୍ୟରେ ଉଦଘାଟିତ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ବର୍ଷ ଯାକରେ ହେଉଥିବା ୩୨ ବେଶ ଆରମ୍ଭ ହୋଇଛି । ଏଥିରେ ମହାପ୍ରଭୁଙ୍କ ଅବକାଶ ବେଶ ବା ତଡ଼ପ ଉତ୍ତରୀ ବେଶ, ନିତ୍ୟଧୂପ ବେଶ, ବଡସିଂହାର ବେଶ, ଚନ୍ଦନଲାଗି ବେଶ, ଗଜାନନ ବେଶ ବା ଗଣପତି ବେଶ, ନବଯୌବନ ବେଶ ଭଳି ବିଭିନ୍ନ ବେଶ ରହିଥିଲା । ମହୋତ୍ସବସ୍ଥଳରେ 19 ଟି ସ୍ବତନ୍ତ୍ର ସ୍ଥାନରେ ଠାକୁରଙ୍କ ଏହି ସବୁ ବେଶ ଗୁଡିକୁ ୩୨ ଜଣ ପଣ୍ଡିତଙ୍କ ଦ୍ବାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ୩୨ ଜଣ ଦମ୍ପତି ବ୍ରହ୍ମ ପୂଜନ ସହ ବିଷ୍ଣୁ ସହସ୍ର ନାମ ଜପ କରିଥିଲେ । ସେହିପରି ଗତକାଲି ଶହସ୍ରାଧୂକ ମହିଳାଙ୍କ ଦ୍ୱାରା ଅଣାଯାଇଥିବା କଳସ ସବୁକୁ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପୂଜକ ଭାବେ ରାଜୀବ ପଣ୍ଡା ଦାୟିତ୍ଵ ତୁଲାଇଥିଲେ । ଏହା ସହିତ ବିଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ଶ୍ରୀ ବିଷ୍ଣୁ ମହାଯଜ୍ଞାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟକର୍ତ୍ତା ଭାବେ ଶ୍ରୀନିବାସ ମିଶ୍ରଙ୍କ ସହ ମନୋଜ ଅଗ୍ରୱାଲ, ଆଭାସ ବାବୁ, ରାମକୃଷ୍ଣ ଦାସ ଓ ସତ୍ୟନାରାୟଣ ମଲ୍ଲିକ ପ୍ରମୁଖ ସପତ୍ନୀକ ସଙ୍କଳ୍ପରେ ବସି ଯଜ୍ଞରେ ଘୃତାହୁତି ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଠାକୁର ମାନଙ୍କ ଠାରେ ମହା ଆଳତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାୟ ୨୦ ଜଣ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ସହ ସାଧୁସେବା ମଧ୍ୟ ଆରମ୍ଭ ହୋଇଛି । ସେହିପରି ଅନ୍ନଯଜ୍ଞର ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ସମ୍ପର୍କରେ ଆଲୋଚନାଚକ୍ର ଓ ପ୍ରବଚନ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଜଗନ୍ନାଥ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।