ବ୍ୟୁରୋ: ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଅଡୁଆରେ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ନେଇ ବଢିଲା ସନ୍ଦେହ। ୧୯୭୮ ମସିହାର ରତ୍ନଭଣ୍ଡାର ଗଣତିମଣତି ତାଲିକାକୁ ବର୍ତ୍ତମାନ ସତ୍ୟପାଠ ଆକାରରେ ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିବା ବେଳେ ଏଥିରେ ମଧ୍ୟ ତାଳମେଳ ରହୁନଥିବା ନେଇ ହୋଇଛି ଅଭିଯୋଗ। ଅନ୍ୟପଟେ ଭିତର ରତ୍ନଭଣ୍ଡାରରେ କେତେ ପରିମାଣରେ ସୁନା,ରୂପା,ହୀରା,ମୋତି ଓ ମାଣିକ୍ୟ ଅଛି ତାକୁ ସାର୍ବଜନୀନ କରିବାକୁ ଦାବି ହୋଇଛି ।
୧୯୭୮ ମସିହାରେ ଶେଷଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଗଣତି ହୋଇଥିଲା। ଯେଉଁଥିରେ ବାହାର,,ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ସୁନା ଅଳଙ୍କାର ମିଶାଯାଇ ତାଲିକା ହୋଇଥିଲା। ତାଲିକାରେ ୧୨ହଜାର୮୩୧ ଭରି ସୁନା ଓ ୨୨ହଜାର୧୫୩ ଭରି ରୂପା ରହିଥିବା ଦର୍ଶାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୁନା ଓ ରୂପାକୁ କିଲୋଗ୍ରାମ ଆକାରରେ ସତ୍ୟପାଠରେ ଦର୍ଶାଯାଇଥିବା ବେଳେ ୭୫ କିଲୋଗ୍ରାମ ରୂପା ଗାଏବ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠରେ ଦର୍ଶାଯାଇଛି ରତ୍ନଭଣ୍ଡାର ଭିତରେ ୧୪୯ କିଲୋ ସୁନା ଓ ୧୮୩ କିଲୋ ରୂପା ରହିଛି । ଯଦି ବିଧାନସଭାରେ ଓ ୧୯୭୮ ମସିହା ତାଲିକା ଅନୁସାରେ ୨୨୧୫୩ ଭରି ରୂପା ଯାହାର ଓଜନ ୨୫୮ କିଲୋ ରତ୍ନଭଣ୍ଡାରରେ ରହିଛି,ତେବେ ସତ୍ୟପାଠରେ ଏହାକୁ କିଭଳି ୧୮୩ କିଲୋ କରାଗଲା ? କୁଆଡେ ଗଲା ୭୫ କିଲୋ ରୂପାର ହିସାବ ଏବେ ତାହ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।
ରତ୍ନଭଣ୍ଡାରକୁ ନେଇ ବହୁ ବାଦ ବିବାଦ ଲାଗିରହିଥିବା ବେଳେ ଆସନ୍ତା ରଥଯାତ୍ରା ସମୟରେ ଏହାକୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସେହି ସମୟରେ ଭିତର ରତ୍ନଭଣ୍ଡାରର ମରାମତି କରାଯିବ । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରତ୍ନଭଣ୍ଡାର ଖୋଲାଯାଉ ବୋଲି ସରକାରଙ୍କୁ ଅନୁରୋଧ କରାଯିବ।
ଅନ୍ୟପଟେ କିଛି ଦିନ ତଳେ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଏଏସଆଇ । ସତ୍ୟପାଠରେ କୁହାଯାଇଛି ଯେ, ରତ୍ନଭଣ୍ଡାରର କେତେକ ସ୍ଥାନରେ ପଲସ୍ତରା ଦୁର୍ବଳ ହୋଇଥିବା ବେଳେ ଫମ୍ପା ଶବ୍ଦ ହେଉଥିଲା । କାନ୍ଥରେ ବହୁ ବଡ ବଡ ଫାଟ ରହିଛି । ଭିତରକୁ ଯାଇ ଯାଞ୍ଚ ପରେ ରତ୍ନଭଣ୍ଡାର ଢାଞ୍ଚାଗତ ସ୍ଥିତି ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରିବ । ରତ୍ନଭଣ୍ଡାର ଭିତରର ସ୍ଥିତି ଭଲ ନଥିବା ଜଣାପଡିଥିବା ବେଳେ ଭିତରକୁ ଯାଇ ଯାଞ୍ଚ ଆବଶ୍ୟକ ବୋଲି କମିଟି କହିଥିଲା । ତେବେ ରତ୍ନଭଣ୍ଡାର ଭିତର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଏଏସଆଇ ଅନୁମତି ଦେଇନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ଏହା ଭିତରେ ୫ ବର୍ଷ ବିତିଯାଇଛି । ରତ୍ନଭଣ୍ଡାର ସଂରକ୍ଷଣ ନିହାତି ବୋଲି ଏଏସଆଇ ପକ୍ଷରୁ ସତ୍ୟପାଠରେ କୁହାଯାଇଛି ।