ସବୁଜ ସୁନ୍ଦର କୋରେଇ ଗଠନ ନେଇ ବନୀକରଣ କାର୍ଯ୍ୟକ୍ରମର

0

କୋରେଇ : ସବୁଜ ସୁନ୍ଦର କୋରେଇ ଗଠନ ନେଇ ବିଶାଳ ବନୀକରଣ କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟ ନିକଟରେ ଶେଷ ହୋଇଛି । ଅତ୍ୟଧିକ ଉତ୍ତାପ, ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଆଦି ବିଷୟକୁ ଆଖି ଆଗରେ ରଖି ଦିଆଯାଇଥିବା ଏହି ଆହ୍ୱାନ ଏବେ ଏକ ବିପ୍ଳବରେ ପରିଣତ ହୋଇଛି ।ମାତ୍ର ଆଠ ମାସ ମଧ୍ୟରେ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମୁଦାୟ ପାଞ୍ଚ ଲକ୍ଷ ଚାରା ରୋପଣ ହୋଇଛି । ବଡ଼ କଥା ହେଉଛି, କୋରେଇର  ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ସମୁଦାୟ ଦଶ ହଜାରରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ ଓ ମହିଳା ସାଥୀ ସ୍ୱତଃ ସାମିଲ  ହୋଇଛନ୍ତି । ଶ୍ରୀ ଦାସନାୟକ ବର୍ତ୍ତମାନ ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ଏଥିସହ ରାଜ୍ୟର ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା  ଭାବେ ବି ତାଙ୍କର ବେଶ୍‍ ଖ୍ୟାତି ରହିଛି । ତେବେ ଜୁନ୍‍ ୨୦୨୩ରେ ସେ ‘ମିଶନ୍‍ ସବୁଜ କୋରେଇ’ ଡାକରା ଦେଇଥିଲେ । ନୂଆ ଆହ୍ୱାନ ସହ ପରିବେଶ ପ୍ରଦୂଷଣ  ରୋକିବାକୁ ରାଜନୀତିରେ ନୂଆ ଧାରା ପ୍ରୟୋଗ କରିଥିଲେ । ଏହି ମିଶନ୍‍ ଜରିଆରେ ନିର୍ବାଚନ ମଣ୍ଡଳୀର ସମୁଦାୟ ୩୭ ଗୋଟି ପଞ୍ଚାୟତ ଏବଂ ବ୍ୟାସନଗର  ପୌରପାଳିକାର ୨୬ ଗୋଟି ୱାର୍ଡ଼କୁ ସାମିଲ କରିଥିଲେ । ଏଥିରେ ପଞ୍ଚାୟତ ଓ ୱାର୍ଡ଼ ସ୍ତରରୁ ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀ, ଯୁବା ସାଥୀ ଓ ମହିଳା  ସାଥୀ ଯୋଡ଼ି ହୋଇଥିଲେ । ପରେ ଆକାଶଙ୍କ ଉପସ୍ଥିତିରେ ଘରେ ଘରେ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ପ୍ରତି ଘରକୁ ୪/୫ଟି  ବୃକ୍ଷ ହିସାବରେ ଜାନୁଆରୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ସୁଦ୍ଧା ସମୁଦାୟ ୫ ଲକ୍ଷ ଚାରା ରୋପଣ କରିବାରେ ସଫଳ ହୋଇପାରିଛନ୍ତି ସେ । ରୋପିତ ହୋଇଥିବା ଚାରା ମଧ୍ୟରେ ଫୁଲ, ଫଳ, ଔଷଧୀୟ ଓ ସୌନ୍ଦର୍ଯ୍ୟ ବଢ଼ାଉଥିବା ବୃକ୍ଷ ସବୁ ରହିଛି । ଆମ୍ବ, ପଣସ, ପିଜୁଳି, ଆତ, ବେଲ, କାଜୁ, ଅଁଳା ଭଳି ଫଳନ୍ତି ବୃକ୍ଷ ସବୁ ବଣ୍ଟା ହୋଇଛି । ଅନୁରୂପ ଅନ୍ୟାନ୍ୟ ବୃକ୍ଷ ମଧ୍ୟରେ ଦେବଦାରୁ, ରାଧାଚୂଡ଼ା, ଶାଳ, ପିଆଶାଳ, ଶିଶୁ, ଶାଗୁଆନ, ନିମ୍ବ, ଆକାଶିଆ,  ବଉଳ, ଚମ୍ପା, ମେହେଗାନୀ ଆଦି ରହିଛି । ପ୍ରାକ୍‍ ପ୍ରସ୍ତୁତି ଅନୁଯାୟୀ, ବଡ଼ ବଡ଼ ନର୍ସରୀରେ ମଞ୍ଜି ପକାଯିବା ପରେ ମେଗା ବୃକ୍ଷରୋପଣ ନେଇ ସେଠାରୁ ଏହି  ଚାରାମାନ ସଂଗ୍ରହ ହୋଇଥାଏ । ତେବେ ଏହି ପ୍ରୟାସ ସାଧାରଣରେ ବେଶ୍‍ ପ୍ରଶଂସା ସାଉଣ୍ଟିଛି । ପ୍ରକାଶ ଥାଉକି, ଶ୍ରୀ ଦାସନାୟକ ହେଉଛନ୍ତି ବରିଷ୍ଠ ଶ୍ରମିକ ନେତା ତଥା ଜଣାଶୁଣା ଲେଖକ ମାୟାଧର ନାୟକଙ୍କ ପୁଅ । ତେବେ ସବୁଜ ବନାନୀକୁ ବାଦ୍‍ ଦେଲେ ସେ ବିଭିନ୍ନ ସାମାଜିକ ଓ ଗଠନମୂଳକ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ‘ଥିରେ ଦିଅ, ନଥିଲେ ନିଅ’, ଜରାଶ୍ରମ ଓ ଭିନ୍ନକ୍ଷମ ବିଦ୍ୟାଳୟକୁ ମାସିକ ରାସନ୍‍ ପ୍ରଦାନ ଆଦି ଭଳି କାର୍ଯ୍ୟକ୍ରମ ମଧ୍ୟ ସେ ହାତକୁ ନେଇଛନ୍ତି । ଏହାଛଡ଼ା ରାଜନୈତିକ କାର୍ଯ୍ୟକ୍ରମ ସହ ବର୍ଷ ତମାମ୍‍ ସାଧାରଣ ଲୋକଙ୍କ ସମସ୍ୟା ସହ ତୃଣମୂଳ ସ୍ତରରୁ ଜଡ଼ିତ ହୋଇଥାଆନ୍ତି । ଏ ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକଙ୍କ କହିବାର କଥା ଯେ, ୟୁରୋପୀୟ ସଂଘର କୋପରନିକସ୍‍ ଜଳବାୟୁ ପରିବର୍ତ୍ତନ ସେବା (ସିସିସିଏସ୍‍)ର ସଦ୍ୟ ପ୍ରକାଶିତ  ତଥ୍ୟ ମୁତାବକ ୨୦୨୩ ପୃଥିବୀର ସର୍ବାଧିକ ଉତ୍ତପ୍ତ ସ୍ଥାନରେ ପରିଣତ ହୋଇଛି । କ୍ରମଶଃ ବିଶ୍ୱକୁ ପରିବେଶ ପ୍ରଦୂଷଣ, ସବୁଜ ଗୃହ ପ୍ରଭାବ, ଗ୍ଲୋବାଲ  ୱାର୍ମିଂ(ବିଶ୍ୱ ତାପ ବୃଦ୍ଧି), ଓଜନ୍‍ ସ୍ତରରେ ଛିଦ୍ର, ଅମ୍ଳ ବର୍ଷା ଭଳି ଭୟାନକ ସମସ୍ୟା ଡରାଉଛି । ଏପରି ସ୍ଥିତିରେ ଭବିଷ୍ୟତ ପିଢ଼ି ପାଇଁ ସବୁଜ ସୁନ୍ଦର କୋରେଇ  ଗଠନ ଲକ୍ଷରେ ଏହି ମିଶନ୍‍ ହାତକୁ ନିଆଯାଇଛି । ତେବେ ଲଗାଯାଇଥିବା ସମସ୍ତ ଗଛର ଯତ୍ନ ନିଆଯିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷରୋପଣ  କାର୍ଯ୍ୟକ୍ରମ ହାତକୁ ନିଆଯିବ । ସେହିପରି ସମ୍ପୃକ୍ତ ମିଶନ୍‍ ଯୁବା ପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ନେଇ ନୂଆ ପ୍ରେରଣା ଆଣିଦେବ ବୋଲି ସେ ପ୍ରକାଶ  କରିଛନ୍ତି।