ଭୁବନେଶ୍ୱର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶଃ -ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି ଏବଂ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଗତିକରିବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ସୁଦୃଶଃ -ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁରରେ ବର୍ଷାର ପରିମାଣ ଅଧିକ ରହିବ । ୧୬ରୁ ଧୀରେ ଧୀରେ ବର୍ଷାର ପରିମାଣ କମିବ । କାରଣ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ମୁହାଁଇଲେ ଓଡ଼ିଶା ଉପରେ ତା’ ପ୍ରଭାବ କମିଯିବ। ଏହାପରେ ପୁଣି ୧୯ ତାରିଖ ପରଠୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ତେବେ ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି।
ଲଗାଣ ବର୍ଷା କାରଣରୁ ନଦୀ ଗୁଡିକ ଫୁଲିବାରେ ଲାଗିଛି । ଏବଂ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହେବାର ଆଶଂଙ୍କା ରହିଛି । ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କଳାହାଣ୍ଡିର ଏମ୍. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି, କଣ୍ଟାମାଳରେ ୧୫୮ମିମି, କେନ୍ଦ୍ରାପଡ଼ାରେ ୧୩୨.୪ ମିମି, ଝାରସୁଗୁଡ଼ାରେ ୭୬.୮ମିମି, ଭୁବନେଶ୍ୱରରେ ୫୫ ମିମି ବର୍ଷା ରେକର୍ଡ କରାଯାଇଛି।