(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର ) ; ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଜାଲଦା ପଞ୍ଚାୟତ ଅଧିନସ୍ଥ ଦେଉଳି ଗ୍ରାମରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର କାର୍ୟ୍ୟ ଚାଲୁ୍ଥିବା ସମୟରେ ଏହି କାମରେ ବ୍ୟାପକ ଅନିୟମିତତା ସହିତ ନିମ୍ନମାନର କାର୍ୟ୍ୟ ହେଉଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରୁ ପ୍ରକାଶ ଯେ ଆଜି ଭୋର ସକାଳୁ କାମ ଚାଲିଥିବା ସମୟରେ ହଠାତ କାନ୍ଥ ଭୁଷୁଡି ପଡିଥିବାର ଦେଖି ଗ୍ରାମବାସୀ ସେଠାରେ ଏକଜୁଟ ହୋଇଥିଲେ । ଯାହାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଗ୍ରାମବାସୀମାନେ ଜାଲଦା ପଞ୍ଚାୟତର ସରପଞ୍ଚ ଉତ୍ତମ କୁମାର ଦିଗାରଙ୍କୁ ଯୋଗାଯୋଗ କରି ଡାକିବା ପରେ ସେ ସମସ୍ୟା ପାଇଁ କାମ କରୁଥିବା ସଂସ୍ଥାର ଅଧିକାରୀଙ୍କୁ ଆସିବାକୁ କହିଥିଲେ ମାତ୍ର କେହି ଆସିନଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ଏହି କାମ ବାବଦରେ ସୂଚନା ଅଧିକାର ଆଇନ ଉଲଂଘନ କରି କାର୍ୟ୍ୟାଦେଶ ଏବଂ କାର୍ୟ୍ୟର ବିବରଣୀ ନିମିତ୍ତ ସୂଚନା ଫଳକ ଲାଗି ନାହିଁ ଏବଂ ବାଲି ଫିଲିଂ କରିବା ବଦଳରେ ମାଟି ଫିଲିଂ କରାଯାଇଥିଲା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମାତ୍ର କାର୍ୟ୍ୟ କରୁଥିବା ସଂସ୍ଥା ଗ୍ରାମବାସୀଙ୍କ କଥାକୁ ଭୃକ୍ଷେପ ନକରି ମନମୁତାବକ କାର୍ୟ୍ୟ କରିଥିଲେ । ଯାହାର ଫଳସ୍ୱରୂପ ଆଜି କାନ୍ଥ ଭୁଷୁଡି ପଡିଥିଲା । ଏବାବଦରେ ସାରସକଣା ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏନପିସିସି ନାମକ ଏକ କମ୍ପାନୀ ବାରିପଦାରେ ଏହି ମଡେଲ ଅଙ୍ଗନବାଡି କାର୍ୟ୍ୟ କରୁଛି ଯାହାଫଳରେ ସେହି କମ୍ପାନୀକୁ ଜିଲ୍ଲାପାଳ କିଛି ପ୍ରୋଜେକ୍ଟ ଦେଇଛନ୍ତି । ଏବାବଦରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ଡିଆରଡିଏ ବାରିପଦାର ମୁଖ୍ୟ ଇଂଜିନିୟରଙ୍କୁ ଏବାବଦରେ ପଚାରିବାରୁ ସେ କହିଥିଲେ ଯେକୈାଣସି କାର୍ୟ୍ୟ ହେଉ ସୂଚନାଫଳକ ତ ଲାଗିବ ମାତ୍ର ସେଠାରେ କିଏ କାର୍ୟ୍ୟ କରୁଛି ସେ ବାବଦରେ କିଛି ଜାଣିନାହାନ୍ତି । ତେବେ କାର୍ୟ୍ୟ ତଦାରଖ କରି ଉଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଉଳୀ ଗ୍ରାମବାସୀ ଦାବି କରିଛନ୍ତି ।