ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା ପାଇଁ କଲିଠାରୁ କମ୍ପିବ ପୂରା ପରିବେଶ

0

ଭୁବନେଶ୍ୱର :ସଜେଇ ହେଲାଣି ଖଣ୍ଡଗିରି । କଲିଠାରୁ କମ୍ପିବ ପୂରା ପରିବେଶ । କାହିଁକିନା ଆସନ୍ତା କାଲିଠାରୁ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦୋବସ୍ତ ହୋଇଛି। ୪ ତାରିଖ ଭୋର୍ରୁ ଧୂନି ସ୍ଥାପନ ପରେ ଆରମ୍ଭ ହେବ ମାଘମେଳା। ଏଥିପାଇଁ ଖଣ୍ଡଗିରି ଉଦୟଗିରି ପାଦଦେଶରେ ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଆସି ଯଜ୍ଞ ପାଇଁ ପ୍ରସ୍ତୁତି କରିସାରିଛନ୍ତି।


୯ଦିନ ପର୍ୟ୍ୟନ୍ତ ଅଖଣ୍ଡ ଧ୍ୱନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୂତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା, ସାଧୁସନ୍ଥଙ୍କର ମହାମିଳନ ହେବ। ଏହି ସ୍ଥାନରେ ରାଧାକୁଣ୍ଡ , ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି । ଏବେ ବି ରାଧାକୁଣ୍ଡରେ ସନ୍ଥମାନେ ସ୍ନାନ କରୁଛନ୍ତି । ଲଳିତ କୁଣ୍ଡରେ ପ୍ରଭୁ ଅନନ୍ତ କେଶରୀଙ୍କ ଚାପଖେଳ ଅନୁଷ୍ଠିତ ହେବ । ଏବେସୁଦ୍ଧା ଓଡିଶା , ହରିଦ୍ୱାର, ଗୁଜୁରାଟ ଏବଂ ଝାନ୍ସିରୁ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ନାଗା ବାବା ଆସି ପହଞ୍ଚିଛନ୍ତି ।


ଖଣ୍ଡଗିରିମେଳା ପାଇଁ ମୀନାବଜାର ପ୍ରସ୍ତୁତି ହୋଇଯାଇଛି । ଦୋକାନବଜାର ମଧ୍ୟ ଲାଗିଗଲାଣି । ଖଣ୍ଡଗିରି ଉଦୟଗିରି ପାଦଦେଶରୁ ବିଭିନ୍ନ ଷ୍ଟଲ ପଡିଛି । ଖାଇବାଷ୍ଟଲଠାରୁ ଆରମ୍ଭ କରି ଘରସଜ୍ଜା ସାମଗ୍ରୀ ଓ ଗୃହ ଉପକରଣ ସାମଗ୍ରୀ ପାଇଁ ଷ୍ଟଲ ଲାଗିବା ଆରମ୍ଭ ହୋଇଗଲାଣି ।