ବାହାନଗା ଟ୍ରେନ ଟ୍ରାଜେଡି; ଡିଏନଏ ଟେଷ୍ଟ ପରେ ୨୯ ଜଣଙ୍କ ମୃତଦେହ ଚିହ୍ନଟ

0

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ ଦିନ ପୁରିଛି । ଆଜି ଆଉ ଜଣେ ଯାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଁ ୨୯୩ରେ ପହଂଚିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟକୁ ହସ୍ତାନ୍ତର କରାଯିବ । ଦୁର୍ଘଟଣା ପରଠୁ ଭୁବନେଶ୍ୱରର ଏମସ ହସ୍ପିଟାଲର ଶବାଗାରରେ ଥିବା ୮୧ଜଣ ଯାତ୍ରୀଙ୍କ ଶବକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।ଏକାଧିକ ଦାବିଦାର ଥିବାରୁ ଓଡ଼ିଶା ସରକାର ଏବେ ବିନା ଡିଏନଏ ରିପୋର୍ଟରେ ସେମାନଙ୍କ ଆତ୍ମୀୟସ୍ୱଜନଙ୍କୁ ଶବ ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏପଟେ ଡିଏନଏ ରିପୋର୍ଟ କେବେ ଆସିବ ସେ ନେଇ ମଧ୍ୟ କାହାରି ପାଖରେ କିଛି ଖବର ନାହିଁ । ଆଉ ନିଜ ଆତ୍ମୀୟଙ୍କ ଶବକୁ ନେବାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକମାନେ ଦୀର୍ଘ ୩ ସପ୍ତାହରୁ ଅଧିକ ଦିନ ଧରି ଭୁବନେଶ୍ୱର ଏମସ ପରିସରରେ ଡେରା ପକାଇଛନ୍ତି । ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଥିବା ବେଳେ ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ୨୮ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।