ପୁରୀରେ ପାଳିତ ହେଲା ଜଗନ୍ନାଥ ଦାସଙ୍କ ଜନ୍ମ ଜୟନ୍ତୀ

0

ପୁରୀ/ସଂଜୟ ମହାପାତ୍ର: ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଆବିର୍ଭାବ ଦିବସ। ୧୫ଶହ ଶତାବ୍ଦୀରେ ଉତ୍କଳୀୟ ବୈଷ୍ଣବ ବାଦର ପଞ୍ଚସଖାଙ୍କ ମଧ୍ୟରେ ଜଗନ୍ନାଥ ଦାସ ଅନ୍ୟତମ। ଉତ୍କଳରେ ପ୍ରାତଃ ସ୍ମରଣୀୟ ମହାପୁରୁଷ , ସିଦ୍ଧସାଧକ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ , ସଂସ୍କାରବାଦୀ କବି ଥିଲେ। ବିଶିଷ୍ଟ ସଂସ୍କୃତଜ୍ଞ ପଣ୍ଡିତ ଭାବରେ ତାଙ୍କର ଖ୍ୟାତି ଥିଲା। ପ୍ରତିଦିନ ଶ୍ରୀମନ୍ଦିରରେ ପୁରାଣ ପାଠ କରି ତାଙ୍କ ଜୀବିକା ଅତିବାହିତ କରୁଥିଲେ।
ମହାବାହୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପୁତ୍ର ସନ୍ତାନ ପାଇଥିବାରୁ ପିତା ଭଗବାନ ପୁରାଣପଣ୍ଡା ପୁତ୍ରଟିର ନାମ ରଖିଥିଲେ ଜଗନ୍ନାଥ । ପିଲାଟି ଦିନରୁ ବାଳକ ଜଗନ୍ନାଥ କୃଷ୍ଣ ଭକ୍ତିରେ ବିଭୋର ଥିଲେ। ବହୁ ଅଳ୍ପ ବୟସରୁ ସେ ୪ ବେଦ , ଧମଶାସ୍ତ୍ର , ରାମାୟଣ , ମହାଭାରତ ଆଦି ଅଧ୍ୟୟନ କରିଥିଲେ। ଏହି ସମୟରେ ତାଙ୍କ ମାତା ପ୍ରତିଦିନ ଶ୍ରୀମନ୍ଦିର ଯାଇ ପୁରାଣ ଆଦି ଶୁଣୁଥିଲେ। ନିରକ୍ଷରା ବିଧବା ଜନନୀ ସଂସ୍କୃତ ଭାଷାରେ ପୁରାଣ ନ ବୁଝିପାରିବାରୁ ପୁତ୍ର ଜଗନ୍ନାଥ ଦାସ ଜନନୀଙ୍କର ଅନ୍ତିମ ଅଭିଳାଷ ପୁରଣ ନିମିତ୍ତ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରି ତାଙ୍କୁ ଶୁଣାଇଥିଲେ।

ଏହାବ୍ୟତୀତ ଶ୍ରୀମନ୍ଦିରର ବଟଗଣେଶଙ୍କ ନିକଟରେ ବସି ଓଡ଼ିଆ ଭାଗବତ ପାଠ କରି ଭକ୍ତଙ୍କୁ ଆକୃଷ୍ଟ କରୁଥିଲେ। ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ବ୍ୟତୀତ ଅନେକ ଗ୍ରନ୍ଥ ରଚନା କରିଛନ୍ତି। ଏହା ଛଡ଼ା ବହୁ ଛାନ୍ଦ , ଚମ୍ପୁ ଆଦି ରଚନା କରିଛନ୍ତି। ସେ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ । ଆଜି ତାଙ୍କର ଆବିର୍ଭାବ ଦିବସ ହୋଇଥିବାରୁ ପୁରୀର ସ୍ମୃତିପିଠ ସାତଲହଡି ମଠ ଓ ବଡଓଡିଆ ମଠରେ ସ୍ମୃତି ଚାରଣ କରିବା ସହ ତାଙ୍କ ଦ୍ୱାରା ରଚିତ ଓଡ଼ିଆ ଭାଗବତକୁ ପୂଜାର୍ଚ୍ଚନା କରାଯାଇଛି। ମଠର ମହନ୍ତ ଏବଂ ସାଧୁସନ୍ଥ ମାନେ ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀମଦଭଗବତ ଗୀତାକୁ ପୂଜା କରିବା ସହ ଗୀତା ପାଠ କରିଥିଲେ।