ଗଞ୍ଜାମ/ରଜନୀକାନ୍ତ ପାତ୍ର : ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ ପରେ ବାଇକ୍ ଯୋଗେ ବୁହା ହେଲା ଶବ। ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୂହେଁ । ଇଏ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଗ୍ରାମର ଦୃଶ୍ୟ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଏବଂ ଏଠି ବିଜେଡିର ବିଧାୟିକା ଅଛନ୍ତି ଲତିକା ପ୍ରଧାନ। ଏଠି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସରକାରଙ୍କ ପକ୍ଷରୁ ମରା ଯାଇଥିବା ଏକ ହୋଡିଂ ତଥା ସୂଚନା ଫଳକ ଲୁହା ଖୁଣ୍ଟ ସଂସ୍ପର୍ଶରେ ଆସି ଜଣେ ଶତାୟୁ ବୃଦ୍ଧ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ତଥା ବେପରୁଆ କାର୍ଯ୍ୟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। ହୋଡିଂ ଫଳକ ଖୁଣ୍ଟ କୁ ବିଦ୍ଯୁତ ସଂଯୋଗ କିପରି ହେଲା ତାକୁ ନେଇ ଦେଖା ଦେଇଛି ବିବାଦ। ଯାହାକୁ ନେଇ ସ୍ଥାନୀୟ ଲୋକକଂ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧଙ୍କ ମର ଶରୀରକୁ ମୋଟର ସାଇକେଲ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ଦେଖିବାକୁ ମିଳିଛି ।
ବୃଦ୍ଧଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ନା କୌଣସି ପ୍ରଶାସନିକ ଅଧିକାରୀ ନା କୌଣସି ରାଜନେତା। କେହି ବି ପହଞ୍ଚି ନଥିଲେ। ଜନ ଅସନ୍ତୋଷ କୁ ଦୃଷ୍ଟିରେ ରଖି ତୁରନ୍ତ ବାଇକ୍ ଯୋଗେ ଶବକୁ ନିଆଗଲା। ଏଠି ପ୍ରଶ୍ନ ଉଠୁଛି ସଭ୍ୟ ସମାଜରେ ଶବକୁ ଇଏ କିଭଳି ସମ୍ମାନ? ବୋଲି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି |