ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ : ବାହାଘର ଦିନ ଚାଲିଗଲା ଝିଅର ଜୀବନ । ରାସ୍ତାରେ ବରର ଶୋଭାଯାତ୍ରା, ଏପଟେ ଆରପାରିରେ ଝିଅ । ଆଜ୍ଞା ହଁ ଏମିତି ବି ଆସେ ମୃତ୍ୟୁ । ବିବାହକୁ ନେଇ ଉତ୍ସବ ମୁଖର ଘର । ଖୁସିରେ ଫାଟିପଡ଼ୁଛି ଉଭୟ ପରିବାର । ହେଲେ ଏମିତି ଦୁଃଖ ମାଢି ଆସିବ କିଏ ବା ଜାଣିଥିଲା । ହାତଗଣ୍ଠି ପଡ଼ିବା ଆଗରୁ ସବୁଦିନ ପାଇଁ ଆଖି ବୁଜିଦେଲା କନ୍ୟା । ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଗୁରସହାଇଗଞ୍ଜ କୋତୱାଲି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ଯେଉଁଠାରେ ବିବାହ ସମୟରେ କନ୍ୟାର ହଠାତ୍ ମୃତ୍ୟୁ ଘଟିଛି।
ତେବେ ସୂଚନା ଅନୁଯାଇ, ବାହାଘର ଦିନ ଝିଅ ପେଟରେ ହଠାତ୍ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଝିଅକୁ ଭୁଲ୍ ଇଞ୍ଜେକ୍ସନ ଏବଂ କିଛି ଔଷଧ ଦେଇଥିଲେ, ଯାହାଫଳରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଏହାପରେ ସେ ସବୁଦିନ ପାଇଁ ଆଖିବୁଜିଥିଲେ ।
ଅନ୍ୟପଟେ , କନ୍ୟାର ବାପା ଅଭିଯୋଗ କରିଛନ୍ତି ଯେ ଡାକ୍ତର ଭୁଲ ଔଷଧ ଦେଇ ତା’ର ଜୀବନ ନେଇଛନ୍ତି। ଡାକ୍ତରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ପୋଲିସରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।