ଭୁବନେଶ୍ବର : ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଶହିଦରେ ଶୋକ ପ୍ରକାଶ କରିଛନ୍ତି ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଖବର ଜାଣିସେ ବହୁତ ଦୁଃଖିତ ବୋଲି ଟ୍ୱିଟ କରି ଜଣାଇଛନ୍ତି । ମାଟି ମା’ର ସେବାରେ ସୁଶାନ୍ତଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ ସେ କହିଛନ୍ତି । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ଆଜି ସୁଶାନ୍ତଙ୍କ ଜନ୍ମସ୍ଥାନକୁ ତାଙ୍କ ପାର୍ଥିବ ଶରୀର ଆସିଛି ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବବୋଲି ଜଣାପଡିଛି । ବୈତରଣୀ ରାଜଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଝାଡ଼ଖଣ୍ଡ ଚାଏବସାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି । ସହିଦ୍ ଓଡ଼ିଆ ଯବାନଙ୍କ ନାଁ ସୁଶାନ୍ତକୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାଯାଇଛି । ଏଥିରେ ସିଆରପିଏଫ ୬୦ ବାଟାଲିୟନର ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବଳ ପକ୍ଷରୁ ଆଖିବୁଜା ଗୁଳିଚାଳନା ପରେ ମାଓବାଦୀ ଜଙ୍ଗଲ ପାହାଡ଼ର ସୁଯୋଗ ନେଇ ଫେରାର୍ ହୋଇଯାଇଥିଲେ।
କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ସୁଶାନ୍ତ ଖୁଣ୍ଟିଆଙ୍କ ପରିବାର। ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ଯବାନ ସୁଶାନ୍ତ ଖୁଣ୍ଟିଆ। ଏଇ ଦେଢ଼ବର୍ଷ ହେବ ସେ କୁଆଡ଼େ ସିଆରପିଏଫ ୬୦ବାଟାଲିୟନରେ ଯୋଗଦେଇ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥାପିତ ଥିଲେ ବୋଲି ଶୁଣିବାକୁ ମିଳେ। ସୁଶାନ୍ତଙ୍କ ପୂର୍ବରୁ ତାଙ୍କ ବାପା କରୋନା କାଳରେ ପ୍ରାଣ ହରାଇଥିବାବେଳେ ତାଙ୍କ ଭାଇଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଅଭାବୀ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସୁଶାନ୍ତ। ମା’ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବାବେଳେ ଭୁବନେଶ୍ବରର ଏକ ହାସପାତାଳରେ ଚିକିତ୍ସାଧୀନ ଥିବା ଓ ତାଙ୍କ ନିକଟରେ ସୁଶାନ୍ତଙ୍କ ଭଉଣୀ ଜଗି ରହିଥିବା ସୂଚନାରୁ ଜଣାପଡ଼ିଛି। ଏଇ ଚାରିମାସ ତଳେ ସୁଶାନ୍ତ ଜଣେ ସରକାରୀ ଚାକିରିଆଙ୍କ ହାତ ଧରିଥିଲେ। ବହୁ ଦୁଃଖ ଭିତରେ ହସ ଟିକିଏ ସାଉଁଟିଥିବା ସୁଶାନ୍ତଙ୍କ ପରିବାର ଉପରେ ଆଜି ପୁଣି ଦାରୁଣ ଦୁଃଖ ଲଦି ହୋଇଯାଇଛି। ସେପଟେ ଭୁବନେଶ୍ବରରେ ଆଜି ତାଙ୍କ ମା’ଙ୍କ ବ୍ରେନ ଟ୍ୟୁମର ଅପରେସନ ଚାଲିଥିବାବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଉପରେ ପାହାଡ଼ ଛିଡ଼ିପଡ଼ିଲା ପରି ହୋଇଛି । ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ଏଏନଏମ୍ ଭାବେ କାର୍ୟ୍ୟରତ ଥିବା ଶୁଣିବାକୁ ମିଳୁଛି। ସୁଶାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ଗାଁ ସମେତ ସମଗ୍ର ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।