ପାରାଦୀପ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ଏହି ଦିନରେ ସମୁଦ୍ର, ପୋଖରୀ ଓ ନଦୀର ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ସେହିପରି ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ ଘାଟିତ ହୋଇଛି । ପତାକା ଦେଖାଇ ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡିଶାରେ ଶିଳ୍ପ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ । ଜିଡିପିରେ ଆମ ରାଜ୍ୟ ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପାରାଦୀପ ବନ୍ଦର ଏହି ପ୍ରଗତିର ମୁଖଶାଳା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ସକାଳ ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ପାରାଦୀପ ବନ୍ଦର ପରିସରରେ ପହଁଚି ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିବା ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଏହି ଉତ୍ସବ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ପତ୍ନୀ ଓ ପୁଅ ପାରାଦୀପ ଆସି ବନ୍ଦର ପରିଦର୍ଶନ କରିବା ସହ ବୁଲିବାର ମଜା ନେଇଥିଲେ । ଏହି ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ,ପାରାଦୀପ ବନ୍ଦର ଅଧ୍ୟକ୍ଷ ପ ଏଲ ହାରାନାଧ, ଜଗତସିଂହପୁର ଜିଲାପାଳ ଜେ ସୋନାଲ ପ୍ରମୁଖ ଯୋଗଦେଇଥିଲେ ।