ଭୁବନେଶ୍ୱର: ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୩ରୁ ୯ ରହିଛି ନବୀନଙ୍କ ଗସ୍ତ ସୂଚୀ । ଜାପାନର ରାଜଧାନୀ ଟୋକିଓ, କ୍ୱୋଟୋ ଏବଂ ଓସାକାରେ ବ୍ୟବସାୟିକ ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ନବୀନ ଯୋଗ ଦେବେ । ରାଜ୍ୟକୁ ପୁଞ୍ଜି ନିବେଶ ଆଣିବାକୁ ନବୀନ ଏହି ଗସ୍ତ କରୁଛନ୍ତି ।ଏହି ସମ୍ମିଳନୀକୁ ଅନେକ ପୁଞ୍ଜି ନିବେଶକାରୀ ଆସିବାର ଯୋଜନା ରହିଛି । ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା ସମ୍ମିଳନୀରେ ଜାପାନ ଗୋଟିଏ ପ୍ରମୁଖ ଅଂଶଗ୍ରହଣକାରୀଦେଶ ରହିଛି । ନିକଟରେ ହୋଇଥିବା ଏହି ସମ୍ମିଳନୀରେ ଜାପାନରୁ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହି ଗସ୍ତ ସମୟରେ ଉଭୟ ଜାପାନ ଏବଂ ଓଡିଶା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜବୁତ ହେବ ବୋଲି ସୂଚନା ରହିଛି ।
୨୦୧୮ ଏବଂ ଅନୁଷ୍ଠିତ ମେକ ଇନ ଓଡିଶା ସମ୍ମିଳନୀରେ ଜାପାନକୁ ଗୁରୁତ୍ୱ ଦିଆଯାଇଛି । ଏହି ସମ୍ମିଳନୀରେ ଜାପାନ ରାଷ୍ଟ୍ରଦୂତ ଯୋଗ ଦେଇ ଓଡିଶା ଏବଂ ଜାପାନ ମଧ୍ୟରେ ବାଣିଜ୍ୟକ ସାଂସ୍କୃତିକ ସମ୍ପର୍କ ଆହୁରି ନିବିଡ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଜାପାନରେ ଓଡିଶାରେ ପୁଞ୍ଜିନିବେଶ ପାଇଁ ଉତ୍କୃଷ୍ଟ ବାତାବରଣ ,ଶାନ୍ତ ପରିବେଶ ତଥା ସକାରାତ୍ମକ ଭିତିଭୂମିର ଉପଲବ୍ଧା ସମ୍ପର୍କରେ ସୂଚନା ଦେବେ । ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ଥିବା ବିଧି ବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ସମ୍ପର୍କରେ ନିବେଶମାନଙ୍କୁ ଅବଗତ କରାଇବେ । ତେବେ ଗତବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଦୁବାଇ ଯାଇ ନିବେଶ ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏବଂ ପରିଣତିସ୍ୱରୂପ ରାଜ୍ୟକୁ ୨୨.୦୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା ।