ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ। ରତ୍ନ ସିଂହସନ ଛାଡ଼ି ରଥକୁ ଆସିବେ ତିନି ଠାକୁର । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ସକାଳ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ବରଷକେ ଥରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଭାଇ ଭଉଣୀଙ୍କୁ ସାଥିରେ ଘେନି ଧାଇଁ ଆସନ୍ତି ବଡଠାକୁର । ପହଣ୍ଡି କାର୍ୟ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।