ସମ୍ବିଧାନ ଆମ ଦେଶର ଏକତା, ଅଖଣ୍ଡତା ଏବଂ ବିବିଧତାକୁ ବଞ୍ଚାଇ ରଖିଥିବା ଏକ ଅମୂଲ୍ୟ ଦଲିଲ ଅଟେ

0

ଭୁବନେଶ୍ୱର:  ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ ପରିଧାନ ଆଦି ବହୁ ବିଭିନ୍ନତାରେ ଭରପୂର ଭାରତବର୍ଷକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରେପକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଢ଼ିବା ସହିତ ଏହାର ସମସ୍ତ ନାଗରିକମାନଙ୍କୁ ଆର୍ଥିକ, ସାମାଜିକ ଓ ରାଜନୀତିକ ନ୍ୟାୟ ପ୍ରଦାନ କରିବାର ସଂକଳ୍ପ ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ଭାବନା, ଅଭିବ୍ୟକ୍ତି, ଆସ୍ଥା, ବିଶ୍ୱାସ ଓ ପୂଜନର ସ୍ୱାଧୀନତା ସହିତ ସୁଯୋଗ ଓ ସ୍ଥିତିର ସମାନତା ପ୍ରଦାନ କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ଏହାର ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା ସହିତ ଭ୍ରାତୃତ୍ୱର ବନ୍ଧନରେ ଆବଦ୍ଧ କରି ରଖିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ। ସର୍ବୋପରି ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା କରିବାର ସଂକଳ୍ପପତ୍ର ହେଉଛି ଭାରତର ସମ୍ବିଧାନ।

‘ଆମ ସମ୍ବିଧାନ ଆମ ସ୍ବାଭିମାନ’ । ସମ୍ବିଧାନ ଦିବସଅବସରରେ ସଂସଦର ସେଣ୍ଟ୍ରାଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ୍ ହୋଇଥିଲେ । ଦେଶ ସମ୍ବିଧାନକୁ ଗ୍ରହଣ କରିବାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, ସମ୍ବିଧାନ ଆମ ଦେଶର ସବୁଠୁ ବଡ ପବିତ୍ର ଗ୍ରନ୍ଥ । ଆମେ ଏହି ଐତିହାସିକ ଦିନରେ ସାକ୍ଷୀ ହୋଇଛୁ ।

ଏହି ଅବସରରେ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ,’ ଭାରତୀୟ ସମ୍ବିଧାନ କେବଳ ଆମର ଗଣତନ୍ତ୍ରର ମୂଳଦୁଆ ନୁହେଁ, ଏହା ଆମ ଦେଶର ଏକତା, ଅଖଣ୍ଡତା ଏବଂ ବିବିଧତାକୁ ବଞ୍ଚାଇ ରଖିଥିବା ଏକ ଅମୂଲ୍ୟ ଦଲିଲ ଅଟେ। ‘ସମ୍ବିଧାନ ଦିବସ’ ଆମ ସମ୍ବିଧାନ ପ୍ରତି କର୍ତ୍ତବ୍ୟନିଷ୍ଠ ରହିବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ସମସ୍ତେ ନିଜ ଆଚରଣରେ ସାମ୍ବିଧାନିକ ଆଦର୍ଶ ଗ୍ରହଣ କରିବା, ଆମର କର୍ତ୍ତବ୍ୟ ପାଳନ କରିବା ଏବଂ 2047 ସୁଦ୍ଧା ଏକ ବିକଶିତ ଭାରତ ଦିଗରେ କାର୍ଯ୍ୟ କରିବା। ଜାତୀୟ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା।