ସୁଟ୍କେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ପର୍ଯ୍ୟନ୍ତ ଲିଙ୍କ୍ ଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି । ମୁମ୍ବାଇ କୁର୍ଲାରେ ଗତ ରବିବାର ଦିନ ସୁଟ୍କେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଉଭୟ ମୃତ ଯୁବତୀ ଏବଂ ଅଭିଯୁକ୍ତ ଓଡ଼ିଶା ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ୨୫ ବର୍ଷ ବୟସ୍କା ପ୍ରତିମା କିସପାଟ୍ଟ । ଅଭିଯୁକ୍ତ ସହିତ ସେ ଲିଭଇନ୍ ରିଲେସନ୍ରେ ଥିଲେ । ଗିରଫ ଯୁବକ ହେଲା ଅସ୍କର ମନୋଜ ବାର୍ଲା । ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ, ମନୋଜ ଏକ ମିଠା ଦୋକାନରେ କାମ କରୁଥିଲା । କୋଭିଡ୍ ଲକଡାଉନ୍ ପରେ ମୁମ୍ବାଇରୁ ଓଡ଼ିଶା ଫେରିବା ବେଳେ ସେମାନଙ୍କ ଭିତରେ ପରିଚୟ ହୋଇଥିଲା । ଗତ ଜୁଲାଇ ମାସରେ ସେମାନେ ପୁଣି ମୁମ୍ବାଇ ଫେରି ଧରାଭିରେ ରହୁଥିଲେ । ଦୁଇ ବର୍ଷ ଧରି ସେମାନେ ଲିଭ୍-ଇନରେ ରହୁଥିଲେ । ତେବେ ପ୍ରତିମାଙ୍କର ଅନ୍ୟ କାହା ସହିତ ସମ୍ପର୍କକୁ ସନ୍ଦେହ କରି ଗତ ରବିବାର ଦିନ ଦୁହିଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ମନୋଜ ପ୍ରତିମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ସ୍ବୀକାର କରିଥିବା ମୁମ୍ବାଇ ପୋଲିସ୍ କହିଛି ।