ଭୂବନେଶ୍ୱର : ରାଜ୍ୟର ଅଗ୍ରଗତିରେ ଆଉ ଏନ ନୂଆ ଅଧ୍ୟାୟ । ପାଠ୍ୟକ୍ରମରେ ଯୋଡି ହେଲା ଅଲମ୍ପିକ୍ସ ଶିକ୍ଷା । ମଙ୍ଗଳବାର ଏପରି ଏକ ଅଭିନବ ଅଧ୍ୟାୟକୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଅଲମ୍ପିକ୍ସ ବିଷୟରେ ଶିକ୍ଷା ଦିଆଯିବ । ଅଲମ୍ପିକ୍ସ ଖେଳର ଗୁରୁତ୍ୱକୁ ଉପଲବ୍ଧି କରି ଛାତ୍ରଛାତ୍ରୀମାନେ ଏଥିପ୍ରତି ଆସକ୍ତ ହେବାକୁ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଯାହା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଲକ୍ଷ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଏହି ଶିକ୍ଷା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପ୍ରଥମ ବୋଲି କୁହାଯାଉଛି । ତେବେ ପରୀକ୍ଷାମୂଳକ ଭାବେ ଏହି ଶିକ୍ଷା ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ କରାଯିବ । ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଣୟନ କରାଯିବ । ଇଣ୍ଡିଆନ ଅଲମ୍ପିକ୍ସ କମିଟି (ଆଇଓସି)ର ସହଯୋଗରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଆଇଓସିର ଅଧ୍ୟକ୍ଷ ଡ. ନରେନ୍ଦ୍ର ବାତ୍ରା, ସଦସ୍ୟ ଶ୍ରୀମତି ନୀତା ଅମ୍ବାନୀ ଓ ଅଲମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କୁ ରାଜ୍ୟ ସରକାର ଧନ୍ୟବାଦ ଜଣାଇଛନ୍ତି ।
ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବା ସହ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ଯାହା ଶିକ୍ଷା ଓ ଖେଳ ସମେତ ସବୁ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ଶିକ୍ଷା ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀମାନେ ସ୍କୁଲରୁ ଶୃଙ୍ଖଳାର ସହ ଶିକ୍ଷାଲାଭ କରି ତାହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରିବାରେ ସହାୟକ ହେବ ବୋଲି ଓଡ଼ିଶା ହକି ପ୍ରମୋସନର ସଭାପତି ଦିଲ୍ଲୀପ ତିର୍କି ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟରେ ଏପରି ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାରେ ଆଇଓସିର ସହଯୋଗ ପ୍ରଣିଧାନଯୋଗ୍ୟ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ସଚିବ ତଥା କମିଶନର ଭିନିଲ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।