ଗଜପତି/ ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି-ଆଙ୍କୁଡୁ ଗ୍ରାମ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଉପରେ ଥିବା ଏକ କେନାଲରୁ ଭାସମାନ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। କିଛି ପଥଚାରୀ ସେହି ରାସ୍ତା ଦେଇ ଯାଉଥିବା ସଭୟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ କେନାଲରେ ଭାସୁଥିବାର ଦେଖିବାକୁ ପାଇ ତୁରନ୍ତ ଗୁରାଣ୍ଡି ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ।ମୃତ ଦେହ ଉଦ୍ଧାର ପରେ ପରିଚୟ ଜଣା ପଡ଼ିଥିଲା।ମୃତ ଯୁବକ ହେଲେ ଟି. ଶ୍ୟାମ ସୁନ୍ଦର ରାଓ (୨୮) ଏବଂ ତାଙ୍କ ଗ୍ରାମ ଆଙ୍କୁଡୁ ଗ୍ରାମ ନିକଟସ୍ଥ ବୀର ନାରାୟଣପୁର ବୋଲି ଜଣାପଡିଥିଲା । ମୃତ ଦେହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଥିଲା। ସୂଚନା ମୁତାବକ ମୃତ ଶ୍ୟାମସୁନ୍ଦର ଆନ୍ଧ୍ରପ୍ରଦେଶ ଏଲୁରୁ ଠାରେ ପ୍ରୋକଲିନ୍ ଚାଳକ ଭାବେ କାମ କରୁଥିଲେ। ତାଙ୍କ ସମ୍ପର୍କୀୟଙ୍କ ଏକ ଭୋଜିରେ ଯୋଗ ଦେବାକୁ ଗତ ୧୦ ଦିନ ପୂର୍ବେ ସେ ନିଜ ଗ୍ରାମକୁ ଆସିଥିଲେ ବୋଲି ଜଣାପଡିଛି । ତେବେ ସେ ଗତ କାଲି ଠାରୁ ନିଜ ଗ୍ରାମରେ ନଥିବାର ଜଣାପଡିଛି । ଏନେଇ ତାଙ୍କ ପିତା ଟି.ସୁରିନାରାୟଣା କହିଛନ୍ତି ଯେ, ଆନ୍ଧ୍ରର ତେମ୍ବୁରୁ ନିକଟ ଗ୍ରାମରେ ରହୁଥିବା ତାଙ୍କ ଏକ ମାତ୍ର ଝିଅ ଘରକୁ ଶ୍ୟାମସୁନ୍ଦର ଚାଲିଯାଇଥିବ ବୋଲି ଭାବିଥିଲେ। ଏ ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।