ସେମିଳିଗୁଡ଼ା(ଦଶରଥ ମାଛ) : ମାନବିକତା ଏବେ ବି ବଂଚି ରହିଛି। କିଛି ଲୋକଙ୍କ ନିକଟରେ ମାନବିକତା ନ ଥିଲେ ମଧ୍ୟ ଓଡ଼ିଶା ଲୋକଙ୍କ ପାଇଁ ଆନ୍ଧ୍ର ପୋଲିସ ଦେଖାଇଛି ମାନବିକତା। ଏପରି ଏକ ଘଟଣା ଘଟି ଯାଇଛି କୋରାପୁଟ ଜିଲ୍ଲାର ସୀମାନ୍ତ ଆନ୍ଧ୍ର ଅଂଚଳରେ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ର ଆମ୍ଫାବେଲି ପଂଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମର ଏଡ଼େ ସମୁଲୁ ନିଜ ପତ୍ନୀ ଏଡ଼େ ଗୁରୁ ଙ୍କ ଦେବ ଖରାପ ହେବାରୁ ଚିକିତ୍ସା ପାଇଁ ଆନ୍ଧ୍ର ର ବିଶାଖାପାଟଣା ର ସଙ୍ଗିବାଳସା ଠାରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।
ତେବେ ସେଠାରେ କିଛିଦିନ ଚିକିତ୍ସ ପରେ ବି ସ୍ୱାସ୍ଥ୍ୟ ରେ ଉନ୍ନତି ଘଟି ନ ଥିଲା। ପରେ ଅର୍ଥ ଅଭାବ ଯୋଗୁ ନିଜ ଘରକୁ ନେଇ ଯିବାକୁ ମାନସ୍ତ କରି ଗତକାଲି ଦୁଇ ହଜାର ଟଙ୍କାର ଏକ ଅଟୋ ଭଡା କରି ନିଜ ଗାଁ ଅଭିମୁଖେ ଅସୁସ୍ଥ ପତ୍ନୀଙ୍କୁ ଧରି ବାହାରିଥିଲେ। ତେବେ ରାସ୍ତାରେ ବିଜୟନଗର ଗ୍ରାମାଞ୍ଚଳ ପୋଲିସ ଥାନା ଅନ୍ତର୍ଗତ ମୁଦିଦାମ ଗାଁ ନିକଟରେ ସମୁଳୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ମହିଳା ଜଣଙ୍କ ମୃତ୍ୟୁ ହେବା ଜାଣି ପାରି ଅଟୋ ଚାଳକ ମର ଶରୀରକୁ ରାସ୍ତା କଡରେ ଓହ୍ଲାଇ ଦେଇ ଭଡା ଟଂକା ନେଇ ଚାଲି ଯାଇଥିଲା। କୌଣସି ଉପାୟ ନ ପାଇ ଏଡ଼େ ସମୁଲୁ ନିଜ ପତ୍ନୀର ମୃତ ଦେହକୁ କାନ୍ଧରେ ଧରି ଓଡିଶା ଅଭିମୁଖେ ଚାଲି ଚାଲି ଯାଉଥିଲେ। ଦୀର୍ଘ ପଥ ଅତିକ୍ରାନ୍ତ କରିବା ପରେ ଆଖ ପାଖ ଗାଁ ଲୋକେ ସମସ୍ତ ତଥ୍ୟ ସମୁଲୁକୁ ପଚାରି ବୁଝିଥିଲେ।
ପରେ ଏ ନେଇ ବିଜୟନଗର ପୋଲିସକୁ ଖବର ଦେଇଥିଲେ। କାନ୍ଧରେ ବୋହି ନେଉଥିବାବେଳେ ବିଜୟନଗର ପୋଲିସ ସି ଆଇ ଟି ଭି ତିରୂପତିରାଓ ଓ ଏସ ଆଇ କିରଣ କୁମାର ପହଂଚି ସମୁଲୁକୁ ଅଟକାଇ ସମସ୍ତ ବିଷୟ ପଚାରିଥିଲେ। ରାସ୍ତା କଡରେ ମୃତ ଦେହ ରଖି ସମୁଲୁ ଧରିଥିବା ମେଡିକାଲ କାଗଜପତ୍ର ଦେଖିଥିଲେ। ପରେ ଏକ ଆମ୍ବୁଲାନ୍ସ କୁ ଦଶ ହଜାର ଟଙ୍କା ଭଡା ସୂତ୍ରରେ ନେଇଥିଲେ। ଆମ୍ବୁଲାନ୍ସ ସହାୟତାରେ ସମୁଲୁ ଓ ତାଙ୍କ ମୃତ ପତ୍ନୀ ଙ୍କ ମର ଶରୀର କୁ ତାଙ୍କ ଗ୍ରାମକୁ ନେବାରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଏଠାରେ ଆନ୍ଧ୍ର ପୋଲିସ ମାନବିକତାର ପରିଚୟ ଦେଇ ବଦାନ୍ୟତା ଦେଖାଇଥିବାବେଳେ ଅଟୋ ଚାଳକ ସାଜିଥିଲା କୃତଘ୍ନ।