ଯାଜପୁର: ବରୀ ବ୍ଲକ ପରିସରରେ ଅନୁଷ୍ଠିତ ଜନ ଶୁଣାଣି ଶିବିର ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଯୋଗ କରିବାକୁ ଆସିଥିବା ଲୋକମାନେ କହିଛନ୍ତି । ଗତ ୨ ତାରିଖରେ ବରୀ ବ୍ଲକ କାର୍ୟ୍ୟାଳୟ ତରଫରୁ ୨୩ ତାରିଖରେ ମିଳିତ ଜନ ଶୁଣାଣି ଶିବିର ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ହେବ ବୋଲି ବିଭିନ୍ନ ବିଭାଗକୁ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ପତ୍ର ମଧ୍ୟମରେ ଅବଗତ କରିଥିଲେ। ମାତ୍ର ଆଜି ଏହି ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ଉକ୍ତ ଜନ ଶୁଣାଣି ଶିବିରରେ ବହୁ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ମାନେ ସେମାନଙ୍କ ଅଭିଯୋଗ ନିମନ୍ତେ ଆସିଥିବା ବେଳେ ସେମାନେ ନିଜର ନାମ ପଞ୍ଜିକୃତ କରିବା ନିମନ୍ତେ ଦାୟିତ୍ଵରେ ଥିବା କର୍ମଚାରୀ ମାନଙ୍କ ଅସହଯୋଗ ଯୋଗୁଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନ ଶୁଣାଣି ଶିବିର ସକାଳ ୭ ଘଟିକା ଠାରୁ ଆରମ୍ଭ କରାଯିବ ବୋଲି ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଲୋକ ପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ତରଫରୁ ନିର୍ଦ୍ଧାରିତ ସମୟରେ ଲୋକ ମାନଙ୍କୁ ଅବଗତ କରାଯାଇ ନଥିଲେ ମଧ୍ୟ ବାହାରୁ ଖବର ପାଇ ବ୍ଲକ କାର୍ୟ୍ୟାଳୟ ପରିସରରେ ଠିକ୍ ସମୟରେ ଅଭିଯୋଗକାରି ମାନେ ପହଞ୍ଚି ଥିଲେ ।
କିନ୍ତୁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଠିକ୍ ସମୟରେ ନ ପହଞ୍ଚିବାରୁ ବହୁ ଅଭିଯୋଗକାରି ଫେରିଯାଇଥିବା ଦେଖିବାକୁ ମିଳିଛି। ଜନ ଶୁଣାଣି ଶିବିରକୁ ଆସିଥିବା ଅଭିଯୋଗକାରି ମାନଙ୍କ ପାଇଁ କୌଣସି ପାନୀୟ ଜଳର ବ୍ୟବସ୍ଥା କି ବସିବାକୁ ଚେୟାର ନଥିଲା । ଏପରିକି ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥା ନଥିବାରୁ ସେମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। ତେବେ ଜନ ଅଭିଯୋଗ ଶିବିରରେ ଏସବୁ ବ୍ୟବସ୍ଥା ରହିବାର ନିୟମ ଥିବା ବେଳେ ଏଠାରେ ସେସବୁ ନ ରହିବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଉକ୍ତ ଶିବିରରେ ମୋଟ ୬୭୨ ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣା ପଡ଼ିଛି ।